ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଆରୋନ ଫିଞ୍ଚଙ୍କ ଅବସର | News Room Odisha

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଆରୋନ ଫିଞ୍ଚଙ୍କ ଅବସର

ମେଲବୋର୍ଣ୍ଣ: ଦୀର୍ଘ ସମୟ ଧରି ଫର୍ମ ପାଇଁ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଶନିବାର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି | ରବିବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ତାଙ୍କର ଶେଷ ଦିନିକିଆ ହେବ । ତେବେ ଫିଞ୍ଚ୍ ଟି-୨୦ରେ ଅଷ୍ଟ୍ରେଲିଆର ନେତୃତ୍ବ ଜାରି ରଖିବେ।

ଫିଞ୍ଚ୍ ନିଜ କ୍ୟାରିୟରରେ ୧୪୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି | ୧୪୫ ଦିନିକିଆ ମ୍ୟାଚର ୧୪୧ ଇନିଂସରେ ସେ ୫୪୦୦ ରନ୍ କରିଛନ୍ତି । ଏଥିରେ ୧୭ଟି ଶତକ ରହିଛି | ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ଶତକ ହାସଲ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ମାମଲାରେ ମହାନ ରିକି ପଣ୍ଟିଂ (୨୯), ଡେଭିଡ ୱାର୍ଣ୍ଣର ଏବଂ ମାର୍କ ୱ (ଉଭୟ ୧୮) ତାଙ୍କଠାରୁ ଆଗରେ ଅଛନ୍ତି।

ଫିଞ୍ଚ୍ ୨୦୧୩ରେ ମେଲବର୍ଣ୍ଣରେ ଦିନିକିଆ ଡେବ୍ୟୁ କରିଥିଲେ। ୨୦୧୮ରେ ବଲ୍ ଟାମ୍ପରିଂ ସ୍କାଣ୍ଡାଲ୍ ପରେ ଷ୍ଟିଭ୍ ସ୍ମିଥଙ୍କ ସ୍ଥାନରେ ଫିଞ୍ଚ୍ ଅଷ୍ଟ୍ରେଲୀୟ ଦିନିକିଆ ଦଳର‌ ଅଧିନାୟକ ନିଯୁକ୍ତ ହୋଇଥିଲେ ।

ପାକିସ୍ତାନ ବିପକ୍ଷରେ ଫିଞ୍ଚଙ୍କ ସବୁଠୁ ଭଲ ରେକର୍ଡ ରହିଛି। ପାକିସ୍ତାନ ବିପକ୍ଷରେ ସେ ୪୯.୧୬ ଆଭରେଜରେ ରନ୍ ସଂଗ୍ରହ କରିଛନ୍ତି ଯେଉଁଥିରେ ଦୁଇଟି ଶତକ ସାମିଲ ରହିଛି। ଅପରପକ୍ଷରେ ସେ ଭାରତ ବିପକ୍ଷରେ ଚାରିଟି ଶତକ ସହ ୪୮.୬୬ ହାରରେ ରନ୍ ସଂଗ୍ରହ କରିଛନ୍ତି ।

ଭାରତର ମହେନ୍ଦ୍ର ସିଂ ଧୋନି ଏବଂ ଇଂଲଣ୍ଡର ଇୟନ୍ ମୋର୍ଗାନଙ୍କ ପରେ ସେ ତୃତୀୟ ଖେଳାଳି ଯିଏକି ସର୍ବାଧିକ ମ୍ୟାଚରେ ନେତୃତ୍ବ ନେଇଛନ୍ତି। ଧୋନି ଏବଂ ମୋର୍ଗାନ ୭୨ଟି ଲେଖାଏଁ ମ୍ୟାଚରେ ଅଧିନାୟକତ୍ୱ କରିଥିବାବେଳେ ଫିଞ୍ଚ ୬୫ଟି ମ୍ୟାଚରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଛନ୍ତି ।