ଗିରଫ ପରେ ତାମିଲନାଡୁ ଶକ୍ତିମନ୍ତ୍ରୀଙ୍କୁ ହୃଦଘାତ, ତୁରନ୍ତ ବାଇପାସ୍ ସର୍ଜରି ପାଇଁ ଡାକ୍ତରଙ୍କ ପରାମର୍ଶ | News Room Odisha

ଗିରଫ ପରେ ତାମିଲନାଡୁ ଶକ୍ତିମନ୍ତ୍ରୀଙ୍କୁ ହୃଦଘାତ, ତୁରନ୍ତ ବାଇପାସ୍ ସର୍ଜରି ପାଇଁ ଡାକ୍ତରଙ୍କ ପରାମର୍ଶ

ଚେନ୍ନାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ତାମିଲନାଡୁର ଶକ୍ତିମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି । ଇଡି ଆଜି ସକାଳେ ତାଙ୍କୁ ଗିରଫ କରିବା ପରେ ସେ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାଲାଜୀଙ୍କୁ ହୃଦଘାତ ହୋଇଥିବା ଜଣାପଡିଛି । ତୁରନ୍ତ ବାଇପାସ୍ ସର୍ଜରୀ କରିବାକୁ ଡ଼ାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ହସ୍ପିଟାଲରେ ସେନ୍ଥିଲ ବାଲାଜୀଙ୍କ କରୋନାରୀ ଆଞ୍ଜିଓଗ୍ରାମ ଟେଷ୍ଟ ହୋଇଥିଲା । ଏହା ପରେ ତାଙ୍କର ବାଇପାସ୍ ସର୍ଜରି ପାଇଁ ସୁପାରିସ କରାଯାଇଥିଲା।

ବର୍ତ୍ତମାନ ଶକ୍ତିମନ୍ତ୍ରୀ ଥିବା ସେନ୍ଥିଲ ବାଲାଜୀ ଯେତେବେଳେ ଏଆଇଏଡିଏମକେ ସରକାରରେ ପରିବହନ ମନ୍ତ୍ରୀ ଥିଲେ, ସେତେବେଳେ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଛି। ତାଙ୍କ ଗିରଫଦାରୀକୁ ନେଇ ତାମିଲନାଡ଼ୁରେ ଝଡ଼ ସୃଷ୍ଟି ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଇଡିର କାର୍ଯ୍ୟାନୁଷ୍ଠାକୁ ନିନ୍ଦା କରିଛନ୍ତି ‌। କେନ୍ଦ୍ର ସରକାର ଆକ୍ରୋଶମୂଳକ ରାଜନୀତି କରୁଛନ୍ତି ବୋଲି‌ ସେକହିଛନ୍ତି।

ବୁଧବାର ଭୋରରେ ବାଲାଜୀଙ୍କୁ ପଚରାଉଚରା ପାଇଁ ଇଡି ଟିମ୍ ନେଉଥିବା ବେଳେ ସେ କାନ୍ଦୁଥିଲେ ।

କଡା ସୁରକ୍ଷା ମଧ୍ୟରେ ବାଲାଜୀଙ୍କୁ ଚେନ୍ନାଇର ଓମାନ୍ଦୁରର ସରକାରୀ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ତଦନ୍ତକାରୀ ସଂସ୍ଥା ଡିଏମକେ ନେତାଙ୍କୁ ତାଙ୍କ ଘର ଉପରେ ଚଢ଼ାଉ ପରେ ଗିରଫ କରିଥିଲା ।

ଡିଏମକେ ଅଭିଯୋଗ କରିଛି ଯେ ବାଲାଜୀ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାବେଳେ ଇଡି ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଡାକ୍ତରଖାନା ନେବାବେଳେ ସେ ସଚେତ ନଥିଲେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ।