କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଏନସିବି ପଞ୍ଚନାମାରେ ଖୁଲାସା, ଡ୍ରଗ୍ସ ନେଇଥିବା ମାନିଲେ ଆର୍ୟନ | News Room Odisha

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଏନସିବି ପଞ୍ଚନାମାରେ ଖୁଲାସା, ଡ୍ରଗ୍ସ ନେଇଥିବା ମାନିଲେ ଆର୍ୟନ

ମୁମ୍ବାଇ: ଏନସିବିର ଚଢ଼ାଉ ପରେ କ୍ରୁଜ୍ ରେଭ୍ ପାର୍ଟି ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏହି ମାମଲାରେ ଏକ ବଡ ଖବର ଆସିଛି। ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ ନେଇଥିବା ସ୍ୱୀକାର କରିଛନ୍ତି। ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଦାଖଲ କରିଥିବା ପଞ୍ଚନାମାରେ ଏହା କୁହାଯାଇଛି ।

ଏନସିବିର ପଞ୍ଚନାମା ଅନୁଯାୟୀ, ଆର୍ୟନ ଖାନ ଏବଂ ଅରବାଜ ମର୍ଚାଣ୍ଟ ଚଢ଼ାଉ ଦିନ ଧରାପଡ଼ିବା ପରେ ଡ୍ରଗ୍ସ ନେଇଥିବା ସ୍ୱୀକାର କରିଥିବା କୁହାଯାଉଛି। ଅନୁସନ୍ଧାନକାରୀ ଅଧିକାରୀଙ୍କ ଆଗରେ ଜୋତା ଏବଂ ଜିପ୍-ଲକ୍ ପାଉଚରେ ଚରସ ଲୁଚାଇ ରଖିଥିବା ଆରବାଜ୍ ମର୍ଚାଣ୍ଟ ମାନିଛନ୍ତି। ଆର୍ୟନ ଏବଂ ଅରବାଜ୍ ଏକତ୍ର ଚରସ ସେବନ କରିଥିବା ସ୍ୱୀକାର କରିଥିଲେ | କ୍ରୁଜ୍ ପାର୍ଟି ସମୟରେ ସେମାନେ ଏହି ଚରସ ବ୍ୟବହାର କରିଥାଆନ୍ତେ ବୋଲି ଉଭୟ ମାନିଛନ୍ତି।

କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିଥିବା ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏହି ମାମଲାରେ ଆଶ୍ବସ୍ତି ମିଳିନାହିଁ। ଶୁକ୍ରବାର ଦିନ ମୁମ୍ବାଇର କିଲା ମାଜିଷ୍ଟ୍ରେଟ କୋର୍ଟରେ ଆର୍ୟନଙ୍କ ଓକିଲ ଦାଖଲ କରିଥିବା ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ଯାହା ଫଳରେ ଶୁକ୍ରବାର ରାତିରେ ଆର୍ୟନ ଆର୍ଥର ରୋଡ ଜେଲରେ ଥିବା ଅନ୍ୟ କଏଦୀମାନଙ୍କ ସହିତ ରହିଥିଲେ।