ନଓ୍ବାବ ମଲିକଙ୍କ ଗମ୍ଭୀର ଅଭିଯୋଗ, ବିଜେପି ନେତାଙ୍କ ଇଙ୍ଗିତରେ ଆର୍ୟନଙ୍କୁ ଅପହରଣ କରାଯାଇଥିଲା | News Room Odisha

ନଓ୍ବାବ ମଲିକଙ୍କ ଗମ୍ଭୀର ଅଭିଯୋଗ, ବିଜେପି ନେତାଙ୍କ ଇଙ୍ଗିତରେ ଆର୍ୟନଙ୍କୁ ଅପହରଣ କରାଯାଇଥିଲା

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ନ୍ୟାସନାଲ ନାର୍କୋଟିକ୍ସ ବ୍ୟୁରୋର ମୁମ୍ବାଇ ଜୋନ୍ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ଗତ ସପ୍ତାହ ପର୍ଯ୍ୟନ୍ତ ଆର୍ୟନ ଖାନ ଡ୍ରଗ୍ ମାମଲା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଯାଞ୍ଚ୍ ଦାୟିତ୍ବରେ ଥିଲେ। ୱାଙ୍ଖେଡେଙ୍କ ବିରୋଧରେ ହୋଇଥିବା ସଦ୍ୟତମ ଅଭିଯୋଗରେ ନଓ୍ବାବ ମଲିକ କହିଛନ୍ତି ଯେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଅପହରଣ କରିବା ପାଇଁ ସମୀର ୱାଙ୍ଖେଡେ ଏକ ବଡ଼ ଷଡଯନ୍ତ୍ରର ଅଂଶ ଥିଲେ ।

ସେ କହିଛନ୍ତି ଯେ ୱାଙ୍ଖେଡେ ଏବଂ ବିଜେପି ନେତା ମୋହିତ କାମ୍ବୋଜ ଆର୍ୟନ ଖାନଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ଛାଡ଼ିବା ପାଇଁ ମୋଟା ଅଙ୍କର ବଟି ଦାବି କରିଥିଲେ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ମଲିକ କହିଛନ୍ତି ଯେ ଆର୍ୟନ ଖାନ୍ କ୍ରୁଜ୍ ପାର୍ଟି ପାଇଁ ଟିକେଟ କିଣିନଥିଲେ। ଏହା ଏକ ଅପହରଣ ଓ ବଟି ଆଦାୟ ମାମଲା। ”

ସେ ଏହା ମଧ୍ୟ କହିଛନ୍ତି ଯେ ଆର୍ୟନ ଖାନଙ୍କ ପରି ଲୋକଙ୍କୁ ଏକ କ୍ରୁଜ୍ ଜାହାଜରେ ଆଣିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା ଏବଂ ସେମାନଙ୍କୁ ଡ୍ରଗ୍ସ ମାମଲାରେ ଜଡିତ କରାଯାଇଥିଲା।

ମଲିକ କହିଛନ୍ତି, “ଅକ୍ଟୋବର ୭ ତାରିଖ ରାତିରେ ମୋହିତ କାମ୍ବୋଜଙ୍କୁ ଓଶିୱାରା କବରସ୍ଥାନ ନିକଟରେ ସମୀର ୱାଙ୍ଖେଡେ ଭେଟିଥିଲେ। ଏହା ପରେ ୱାଙ୍ଖେଡେ ଧରାପଡ଼ିଯିବା ଭୟରେ ତାଙ୍କୁ ମହାରାଷ୍ଟ୍ର ପୋଲିସ ପିଛା କରୁଛି ବୋଲି ଅଭିଯୋଗ କରିଥିଲେ । ସେମାନେ ଭାଗ୍ୟବାନ ଥିଲେ । କାରଣ ସେହି ଦିନ ନିକଟସ୍ଥ ସିସିଟିଭି କାମ କରୁନଥିଲା । ସେଥିପାଇଁ ଆମେ ଉକ୍ତ ଭିଡିଓ ପାଇନଥିଲୁ ବୋଲି ମଲିକ କହିଛନ୍ତି ।

ଅନ୍ୟପକ୍ଷରେ ଆଜି ସମୀର ୱାଙ୍ଖେଡେଙ୍କ ବାପା ଧ୍ୟାନଦେବ ୱାଙ୍ଖେଡେ, ନଓ୍ବାବ ମଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି । ମଲିକ ତାଙ୍କ ପରିବାରକୁ ବଦନାମ୍ କରିବା ଉଦ୍ଦେଶ୍ୟରେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ଏଥିପାଇଁ ମଲିକଙ୍କ ଠାରୁ ୧.୨୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ସମୀର ୱାଙ୍ଖେଡେଙ୍କ ବାପା ।