ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କୁ ପୁଣି ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ | News Room Odisha

ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କୁ ପୁଣି ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ପୁଣି ଝଟକା ଲାଗିଛି । ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଆର୍ଯ୍ୟନ ଖାନଙ୍କୁ ଗତ ୧୩ ଦିନ ଧରି ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯାଇଛି। ଗତ ଥର ଶୁଣାଣି ସମୟରେ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଯେତେବେଳେ କୋର୍ଟ ତାଙ୍କ ରାୟ ଶୁଣାଇଥିଲେ, ଆର୍ୟନଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଆର୍ୟନଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ନାମଞ୍ଜୁର ହୋଇଛି ।

ଆର୍ୟନଙ୍କ ଜାମିନ ଖାରଜ ହେବା ପରେ ତାଙ୍କ ଓକିଲ ହାଇକୋର୍ଟ ଯିବେ ବୋଲି କହିଛନ୍ତି ।

ଅକ୍ଟୋବର ୨ ତାରିଖ ରାତିରେ ‘କର୍ଡେଲିଆ ଦି ଇମ୍ପ୍ରେସ୍’ ନାମକ ଏକ କ୍ରୁଜ ଜାହାଜରୁ ଆର୍ଯ୍ୟନଙ୍କ ଏନସିବି ଗିରଫ କରିଥିଲା। ତେବେ ଗିରଫ ହେବାର ୧୭ ଦିନ ପରେ ମଧ୍ୟ ଆର୍ଯ୍ୟନଙ୍କୁ ଆଶ୍ବସ୍ତି ମିଳିନାହିଁ | ଏନେଇ ଶାହାରୁଖଙ୍କ ପରିବାର ମଧ୍ୟ ଟେନସନରେ ଅଛନ୍ତି। ଯଦିଓ ଏନସିବି ଆର୍ଯ୍ୟନଙ୍କ ଠାରୁ ଡ୍ରଗ୍ସ ପାଇନାହିଁ, ଅନ୍ତର୍ଜାତୀୟ ଡ୍ରଗ୍ସ କାରବାର ସହ ତାଙ୍କର ଲିଙ୍କ୍ ଥିବା ଏନସିବି କୋର୍ଟରେ ଦାବି କରିଥିଲା । ଏହାଛଡ଼ା ଆର୍ଯ୍ୟନ୍ ବହୁ ବର୍ଷ ଧରି ଡ୍ରଗ୍ସ ସେବନ କରୁଥିଲେ ବୋଲି ଏନସିବି କହିଥିଲା ।