ବିଦେଶ ପଳାଉଥିବା ବେଳେ 'ଭାରତପେ' ପ୍ରତିଷ୍ଠାତା ଅଶ୍ନିର୍ ଗ୍ରୋଭର ଓ ପତ୍ନୀଙ୍କୁ ବିମାନ ବନ୍ଦରରେ ଅଟକାଇଲା ପୋଲିସ୍ | News Room Odisha

ବିଦେଶ ପଳାଉଥିବା ବେଳେ ‘ଭାରତପେ’ ପ୍ରତିଷ୍ଠାତା ଅଶ୍ନିର୍ ଗ୍ରୋଭର ଓ ପତ୍ନୀଙ୍କୁ ବିମାନ ବନ୍ଦରରେ ଅଟକାଇଲା ପୋଲିସ୍

ନୂଆଦିଲ୍ଲୀ: ‘ଭାରତପେ’ର ସହପ୍ରତିଷ୍ଠାତା ତଥା ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶ୍ନିର ଗ୍ରୋଭର ଏବଂ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଟକ ରଖାଯାଇଛି । ଗ୍ରୋଭର ତାଙ୍କ ପତ୍ନୀଙ୍କ ସହ ନ୍ୟୁୟର୍କ ଯାଉଥିଲେ । କିନ୍ତୁ ଉଭୟଙ୍କୁ ଦେଶ ଛାଡ଼ିବାକୁ ବାରଣ କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ଉଭୟଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଡବ୍ଲୁଓ) ଅଟକାଇଥିଲା।

ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ ସପ୍ତାହରେ ଏହି ଦୁଇଜଣଙ୍କ ବିରୋଧରେ ଇଡବ୍ଲୁଓ ଏକ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା । ଏହା ଆଧାରରେ ସେମାନଙ୍କୁ ବିଦେଶ ଯିବାରୁ ରୋକା ଯାଇଥିଲା। ଉଭୟଙ୍କ ବିରୋଧରେ ଠକେଇ ଅଭିଯୋଗର ତଦନ୍ତ ଚାଲିଛି । ଉଭୟଙ୍କୁ ଆସନ୍ତା ସପ୍ତାହରେ ମଣ୍ଡି ମାର୍ଗରେ ଥିବା ଇଡବ୍ଲୁଓ କାର୍ଯ୍ୟାଳୟରେ ତଦନ୍ତରେ ଯୋଗଦେବାକୁ କୁହାଯାଇଛି ବୋଲି ଯୁଗ୍ମ କମିଶନର୍ ପୋଲିସ୍ (ଇଡବ୍ଲୁଓ) ସିନ୍ଧୁ ପିଲ୍ଲାଇ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଅର୍ଥ ହଡ଼ପ ଏବଂ ଭାରତପେ ପରିଚାଳନା କରୁଥିବା କମ୍ପାନୀ ରେଜିଲିଏଣ୍ଟ୍ ଇନୋଭେସନ୍ସ ପିଭି ଲିମିଟେଡର ୮୧ କୋଟି କ୍ଷତି ଘଟାଇଥିବା ଅଭିଯୋଗରେ ଜୁନ୍ ମାସରେ ଅଶ୍ନିର ଗ୍ରୋଭର ଏବଂ ପତ୍ନୀ ମାଧୁରୀ ଜୈନଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଇଡବ୍ଲୁଓ ମାମଲା ରୁଜୁ କରିଥିଲା । ଏହି ବିବାଦ ପରେ ଅଶ୍ନିର୍ ଗ୍ରୋଭର ‘ଭାରତପେ’ ଏମଡି ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କୁ କମ୍ପାନୀରୁ ହଟାଇ ଦିଆଯାଇଥିଲା।