ଅଶ୍ୱିନଙ୍କ ଆଉ ଏକ ମାଇଲଖୁଣ୍ଟ, କପିଳ ଦେବଙ୍କୁ ପଛରେ ପକାଇ ହେଲେ ଭାରତର ଦ୍ଵିତୀୟ ସଫଳ ଟେଷ୍ଟ ବୋଲର | News Room Odisha

ଅଶ୍ୱିନଙ୍କ ଆଉ ଏକ ମାଇଲଖୁଣ୍ଟ, କପିଳ ଦେବଙ୍କୁ ପଛରେ ପକାଇ ହେଲେ ଭାରତର ଦ୍ଵିତୀୟ ସଫଳ ଟେଷ୍ଟ ବୋଲର

ମୋହାଲି: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି | ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ଅଶ୍ବିନ ଏବେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଅସଲଙ୍କାଙ୍କ ୱିକେଟ୍ ନେଇ ଅଶ୍ୱିନ୍ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ଏହି ଟେଷ୍ଟ ମ୍ୟାଚରେ ଅଶ୍ୱିନଙ୍କର ଏହା ହେଉଛି ପଞ୍ଚମ ସଫଳତା | ତାଙ୍କ କ୍ୟାରିୟରର ୮୫ ତମ ଟେଷ୍ଟ ଖେଳୁଥିବା ଅଶ୍ୱିନ୍ ଏହି ମ୍ୟାଚ୍ ପୂର୍ବରୁ ୮୪ଟି ଟେଷ୍ଟରେ ୪୩୦ ୱିକେଟ୍ ନେଇଥିଲେ |

ଭାରତ ପାଇଁ ଟେଷ୍ଟରେ ୨୫୦ ରୁ ଅଧିକ ୱିକେଟ୍ ନେଇଥିବା ବୋଲରମାନଙ୍କ ମଧ୍ୟରେ ଅଶ୍ୱିନଙ୍କ ଆଭରେଜ ସବୁଠୁ ଭଲ ରହିଛି | ସେ ୨୪.୨୮ ହାରରେ ୱିକେଟ୍ ନେଇଛନ୍ତି। ଅଶ୍ୱିନଙ୍କ ପୂର୍ବରୁ ମହାନ କପିଳ ଦେବଙ୍କ ନାମ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା।

ଭାରତ ପାଇଁ ୧୩୧ ଟେଷ୍ଟ ମ୍ୟାଚରେ କପିଳ ଦେବ ୪୩୪ ୱିକେଟ୍ ନେଇଥିଲେ। ଅବସର ନେବା ସମୟରେ କପିଳ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର୍ ଥିଲେ। ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲରଙ୍କ ମଧ୍ୟରେ ଅଶ୍ୱିନ ଏବେ ବିଶ୍ୱର ୯ ନମ୍ବରରେ ପହଞ୍ଚିଛନ୍ତି। ଏହି ସିରିଜରେ ସେ ଡେଲ ଷ୍ଟେନଙ୍କୁ ପଛରେ ପକାଇବାର ସୁଯୋଗ ପାଇବେ | ଦକ୍ଷିଣ ଆଫ୍ରିକାର ଷ୍ଟେନ୍ ୯୩ଟି ଟେଷ୍ଟରେ ୪୩୯ ୱିକେଟ୍ ନେଇଛନ୍ତି | ଏହି ତାଲିକାର ଟପ୍ ୭ ବୋଲରଙ୍କ ନାମରେ ୫୦୦ ରୁ ଅଧିକ ୱିକେଟ୍ ଅଛି |

ଭାରତ ପାଇଁ ଟେଷ୍ଟରେ ପୂର୍ବତନ ଲେଗ ସ୍ପିନର ଅନିଲ କୁମ୍ବଲେ ସର୍ବାଧିକ ୱିକେଟ୍ ରେକର୍ଡ ରହିଛି। କୁମ୍ବଲେ ୧୩୨ ଟେଷ୍ଟରୁ ୬୧୯ ୱିକେଟ୍ ନେଇଛନ୍ତି। ସେ ୨୦୦୮ ରେ ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।