ଜ୍ଞାନବାପି ମସଜିଦରେ ଏଏସ୍ଆଇ ସର୍ଭେ ଆରମ୍ଭ, ମୁସଲିମ ପକ୍ଷର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି | News Room Odisha

ଜ୍ଞାନବାପି ମସଜିଦରେ ଏଏସ୍ଆଇ ସର୍ଭେ ଆରମ୍ଭ, ମୁସଲିମ ପକ୍ଷର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବାରାଣସୀ: ଆହ୍ଲାବାଦ ହାଇକୋର୍ଟଙ୍କ ସବୁଜ ସଙ୍କେତ ପରେ ଜ୍ଞାନବାପି ମସଜିଦରେ ଶୁକ୍ରବାର ଠାରୁ ପୁଣି ଏଏସ୍ଆଇ ସର୍ଭେ ଆରମ୍ଭ ହୋଇଛି | ଏଥିପାଇଁ ମସଜିଦ୍ ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଜିଲ୍ଲା କୋର୍ଟର ନିର୍ଦ୍ଦେଶ କ୍ରମେ ଏଏସଆଇ ମସଜିଦର ସର୍ଭେ ଆରମ୍ଭ କରିଥିଲା । କିନ୍ତୁ ଏହା ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟ ଯିବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ହାଇକୋର୍ଟ ଏହି ସର୍ଭେକୁ ଅନୁମତି ଦେଇଛନ୍ତି ।

ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ । ମୁସଲିମ ପକ୍ଷ ନିଜ ଆବେଦନରେ କହିଛି ଯେ ଏଏସଆଇ ସର୍ଭେ ଦ୍ବାରା ପୂରା ମାମଲା ଉପରେ ପ୍ରଭାବ ପଡ଼ିବ। ସେଥିପାଇଁ ଏହା ଉପରେ ତୁରନ୍ତ ରୋକ୍ ଲଗାଯିବା ଉଚିତ | ଅନ୍ୟପକ୍ଷରେ ହିନ୍ଦୁ ପକ୍ଷ ଏହି ମାମଲାରେ ଏକ କାଭିଏଟ୍ ଦାଖଲ କରିସାରିଛନ୍ତି।

ଜ୍ଞାନବାପି ବିବାଦର ପୁରା ମାମଲା କ’ଣ?
ଅଗଷ୍ଟ ୨୦୨୧ରେ ପାଞ୍ଚଜଣ ହିନ୍ଦୁ ମହିଳା ବାରାଣସୀର ସିଭିଲ୍ ଜଜ୍ (ସିନିୟର ଡିଭିଜନ୍)ଙ୍କ ନିକଟରେ ଏକ ମାମଲା ଦାୟର କରିଥିଲେ। ସେମାନେ ନିଜ ଆବେଦନରେ ଜ୍ଞାନବାପି ମସଜିଦ ନିକଟରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ଦୈନିକ ପୂଜା ଓ ଦର୍ଶନ କରିବାକୁ ଅନୁମତି ମାଗିଥିଲେ । ଜଜ୍ ରବି କୁମାର ଦିୱାକରଙ୍କ ନିର୍ଦ୍ଦେଶ ପରେ ଜ୍ଞାନବାପି ମସଜିଦ ପରିସରରେ ଓକିଲ ସର୍ଭେ କରାଯାଇଥିଲା। ଗତ ବର୍ଷ ମେ ମାସରେ କରାଯାଇଥିବା ସର୍ଭେ ସମୟରେ ଏଠାରେ ଏକ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରିଥିଲେ । ତେବେ ଏହା ଶିବଲିଙ୍ଗ ନୁହେଁ ବରଂ ଏକ ଫୁଆରା ବୋଲି ମୁସଲିମ ପକ୍ଷ କହିଥିଲା । ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଦାବି କରିଥିଲେ ହିନ୍ଦୁ ପକ୍ଷ। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ଅଛି।