କୁତୁବ୍ ମୀନାରରେ ହିନ୍ଦୁ, ଜୈନ ମନ୍ଦିରର ପୁନରୁଦ୍ଧାର ଆବେଦନକୁ ଏଏସ୍ଆଇର ବିରୋଧ | News Room Odisha

କୁତୁବ୍ ମୀନାରରେ ହିନ୍ଦୁ, ଜୈନ ମନ୍ଦିରର ପୁନରୁଦ୍ଧାର ଆବେଦନକୁ ଏଏସ୍ଆଇର ବିରୋଧ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) କୁତୁବ୍ ମୀନାରରେ ପୂଜାପାଠ କରିବା ପାଇଁ ହିନ୍ଦୁ ସଂଗଠନଙ୍କ ତରଫରୁ ହୋଇଥିବା ଆବେଦନକୁ ବିରୋଧ କରିଛି। ସାକେତ୍ କୋର୍ଟରେ ଦାଖଲ କରିଥିବା ଜବାବରେ ଏଏସଆଇ କହିଛି ଯେ କୁତୁବ୍ ମୀନାରର ପରିଚୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ।

କୁତୁବ୍ ମୀନାର ପରିସର ଭିତରେ ହିନ୍ଦୁ ଏବଂ ଜୈନ ଦେବାଦେବୀଙ୍କ ମନ୍ଦିର ପୁନରୁଦ୍ଧାର ଓ ପୂଜା କରିବାର ଅଧିକାର ଦାବି କରି ଦିଲ୍ଲୀର ସାକେତ୍ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। କୁତୁବ୍ ମୀନାର ପରିସରରେ ହିନ୍ଦୁ ଦେବାଦେବୀ ମାନଙ୍କର ବହୁ ମୂର୍ତ୍ତି ରହିଥିବା ଆବେଦନରେ ଦାବି କରାଯାଇଥିଲା।

ଅପରପକ୍ଷରେ ଉପରୋକ୍ତ ପିଟିସନ ଉପରେ ଏଏସ୍ଆଇ ସାକେତ୍ କୋର୍ଟରେ ଜବାବ ଦାଖଲ କରିଛି | ଏଏସ୍ଆଇ କହିଛି, ୧୯୧୪ ପରଠାରୁ କୁତୁବ୍ ମୀନାର ଏକ ସଂରକ୍ଷିତ ସ୍ମାରକୀର ମାନ୍ୟତା ପାଇଛି | ଏଏସ୍ଆଇ କହିଛି ଯେ, କୁତୁବ୍ ମିନାରର ପରିଚୟ ବଦଳାଇ ଯାଇପାରିବ ନାହିଁ ଏବଂ ଏହି ଐତିହାସିକ ସ୍ମାରକୀ ପରିସରରେ ପୂଜାପାଠକୁ ମଧ୍ୟ ଅନୁମତି ଦିଆଯାଇ ପାରିବ ନାହିଁ | ବାସ୍ତବରେ ଏହା ସଂରକ୍ଷିତ ହେବା ପରଠାରୁ ଏଠାରେ ପୂଜାପାଠ ଅନୁମତି ଦିଆଯାଇ ନାହିଁ |

ଏଏସଆଇ କହିଛି, ହିନ୍ଦୁ ପକ୍ଷର ଆବେଦନ ଆଇନଗତ ଭାବେ ବୈଧ ନୁହେଁ | ଏହାଛଡ଼ା ପୁରୁଣା ମନ୍ଦିର ଭାଙ୍ଗି କୁତୁବ୍ ମିନାର ନିର୍ମାଣ କରାଯିବା କଥା ଏକ ଐତିହାସିକ ବିଷୟ | ବର୍ତ୍ତମାନ କୁତୁବ୍ ମୀନାରରେ ପୂଜାର୍ଚ୍ଚନା କରିବାର କାହାର ଅଧିକାର ନାହିଁ। ଯେହେତୁ କୁତୁବ୍ ମୀନାରକୁ ସଂରକ୍ଷିତ କରାଯାଉଛି, ଏଠାରେ କୌଣସି ପୂଜାର୍ଚ୍ଚନା ହୋଇନାହିଁ । ତେଣୁ ଏଠାରେ ପୂଜାପାଠକୁ ଅନୁମତି ଦିଆଯାଇପାରିବ ନାହିଁ |

ଏହା ପ୍ରତ୍ନତାତ୍ତ୍ୱିକ ମହତ୍ତ୍ଵର ଏକ ସ୍ମାରକୀ ବୋଲି ଏଏସ୍ଆଇ କହିଛି | ତେଣୁ ଏଠାରେ କାହାକୁ ପୂଜା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ | ପ୍ରତ୍ନତାତ୍ତ୍ୱିକ ସୁରକ୍ଷା ଆଇନ ୧୯୫୮ ଅନୁଯାୟୀ, ସଂରକ୍ଷିତ ସ୍ମାରକୀରେ କେବଳ ପର୍ଯ୍ୟଟନକୁ ଅନୁମତି ଦିଆଯାଇଛି | ଏଏସ୍ଆଇ କହିଛି, କୁତୁବ ମୀନାର କମ୍ପ୍ଲେକ୍ସ ଏଏସ୍ଆଇର ତତ୍ତ୍ଵାବଧାନରେ ରହାଥିବାରୁ ଏଠାରେ କୌଣସି ଧର୍ମର ଲୋକ ପୂଜାର୍ଚ୍ଚନା କିମ୍ବା ଉପାସନା ପାଇଁ ଅନୁମତି ଦିଆଯାଇ ନାହିଁ |

ପୂଜାପାଠ ଦାବିରେ ଆବେଦନ କରିଥିବା ଆବେଦନକାରୀ ହରିଶଙ୍କର ଜୈନ କୁତୁବ ମୀନାରକୁ ନେଇ ଏକ ବଡ଼ ଦାବି କରିଥିଲେ। ସେ କହିଥିଲେ ଯେ କୁତୁବ ମୀନାରରେ ପ୍ରାୟ ୨୭ଟି ମନ୍ଦିରର ୧୦୦ ରୁ ଅଧିକ ମୂର୍ତ୍ତି ଓ ଭଗ୍ନାବଶେଷ ରହିଛି। ସେ ଦାବି କରିଥିଲେ ଯେ, କୁତୁବ୍ ମୀନାର୍ ଉପରେ ଆମ ପାଖରେ ଏତେ ପ୍ରମାଣ ଅଛି ଯେ ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ହରିଶଙ୍କର ଜୈନ କହିଛନ୍ତି, ଏ ସମ୍ବନ୍ଧୀୟ ସମସ୍ତ ପ୍ରମାଣ ଏଏସ୍ଆଇ ପୁସ୍ତକରୁ ସଂଗ୍ରହ କରାଯାଇଛି।

ନିକଟରେ କୁତୁବ୍ ମୀନାରରେ ଖନନ କରାଯିବ ବୋଲି ଖବର ଆସିଥିଲା । କିନ୍ତୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହାକୁ ଖଣ୍ଡନ କରିଥିଲେ ।