ଆଜିଠୁ ଏସିଆ କପ୍: ବିଶ୍ବକପ୍ ପୂର୍ବରୁ ଶେଷ ପ୍ରସ୍ତୁତି | News Room Odisha

ଆଜିଠୁ ଏସିଆ କପ୍: ବିଶ୍ବକପ୍ ପୂର୍ବରୁ ଶେଷ ପ୍ରସ୍ତୁତି

କଲମ୍ବୋ: ଏସିଆ ମହାଦେଶର ଶ୍ରେଷ୍ଠ ୬ ଦଳକୁ ନେଇ ବୁଧବାର ଠାରୁ ଆରମ୍ଭ ହେବ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ହାଇବ୍ରିଡ୍ ମଡେଲ ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ଫାଇନାଲ ସହ ୯ଟି ମ୍ୟାଚ ଖେଳାଯିବ। ବୁଧବାର ମୁଲତାନରେ ପାକିସ୍ତାନ ଓ ନେପାଳ ମଧ୍ୟରେ ମ୍ୟାଚରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଭାରତ ଏହାର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଗ୍ରୁପ୍ ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବା ବେଳେ ଗ୍ରୁପ୍ ବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ ।

ଭାରତ ଏବଂ ପାକିସ୍ତାନର ଉତ୍ସାହୀ ପ୍ରଶଂସକଙ୍କ ପାଇଁ ଦୁଇ ଦେଶ ମଧ୍ୟରେ ତିନୋଟି “ହାଇ ଭୋଲଟେଜ୍” ମ୍ୟାଚ୍ ସମ୍ଭାବନା ସହ ୬ ଦଳ ବିଶ୍ୱକପ ପୂର୍ବରୁ ନିଜ ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ମଧ୍ୟ ଶେଷ ସୁଯୋଗ ପାଇବେ | ଦ୍ୱିପାକ୍ଷିକ ମ୍ୟାଚ୍ ବୃଦ୍ଧି ଏବଂ ଟି-୨୦ କ୍ରିକେଟ୍ ର ଲୋକପ୍ରିୟତା ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଗତ ଏକ ଦଶନ୍ଧି ଧରି ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରିଆସୁଛି | କିନ୍ତୁ ଏଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ସବୁ ଦଳର ‘ଥିଙ୍କ ଟ୍ୟାଙ୍କ’ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମନେହୁଏ |

ଅକ୍ଟୋବର ୫ରେ ବିଶ୍ୱକପ୍ ଆରମ୍ଭ ହେବ । ଏହା ପୂର୍ବରୁ ନେପାଳ ବ୍ୟତୀତ ଅନ୍ୟ ପାଞ୍ଚଟି ଦଳ ପାଇଁ ଖେଳାଳିଙ୍କୁ ନେଇ କିଛି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଏହା ଶେଷ ସୁଯୋଗ ହେବ। ବିଶ୍ୱକପ ପୂର୍ବରୁ ନିଶ୍ଚିତ ଭାବରେ କିଛି ଦ୍ୱିପାକ୍ଷିକ ଏବଂ ୱାର୍ମ ଅପ୍ ମ୍ୟାଚ୍ ହେବ | କିନ୍ତୁ ଶ୍ରୀଲଙ୍କା ଏବଂ ପାକିସ୍ତାନରେ ଖେଳାଯିବାକୁ ଥିବା ଏସିଆ କପ୍ ସହିତ ସମସ୍ତ ଦଳ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟର ପରିବେଶ ପାଇବେ, ଯାହା ପ୍ରାୟ ବିଶ୍ୱକପ୍ ପରି ହେବ।

ଭାରତୀୟ ଦଳ ଏସିଆ କପରେ ସର୍ବାଧିକ ସାତ ଥର ଚାମ୍ପିଅନ୍ ହୋଇଛି । ଏଥର ବି ରୋହିିତ ଶର୍ମାଙ୍କ ଦଳ ଟାଇଟଲ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିବ। ସର୍ବାଧିକ ଥର ଏସିଆ କପ୍ ଟାଇଟଲ୍ ଜିତିଥିଲେ ମଧ୍ୟ ଏଥର ଦଳର ପ୍ରାଥମିକତା ଅଷ୍ଟମ ଟାଇଟଲ୍ ନୁହେଁ, ବରଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ବିଶ୍ୱକପ ପୂର୍ବରୁ ବ୍ୟାଟିଂ କ୍ରମର କିଛି ସ୍ଥାନରେ ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ଚାହିଁବେ | ଯଦି ଦଳ ଟ୍ରଫି ଜିତେ, ତେବେ ବିଶ୍ବକପ୍ ପୂର୍ବରୁ ଏହା ଖେଳାଳିଙ୍କ ମନୋବଳ ବଢାଇବ | ଅତିରିକ୍ତ ସର୍ତ୍ତ ସହିତ ଭାରତୀୟ ଦଳରେ ସାମିଲ ହୋଇଥିବା କେଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ। ଅସ୍ତ୍ରୋପଚାର ପରେ ରିହାବ୍ ପ୍ରକ୍ରିୟା ପରେ ରାହୁଲ ତାଙ୍କ ବ୍ୟାଟିଂ ଅଭ୍ୟାସରେ ଉନ୍ନତି କରିଛନ୍ତି । କିନ୍ତୁ ୱିକେଟ୍ କିପିଂ ଅଭ୍ୟାସ ସମୟରେ ସେ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ନେଇ କିଛି ଚିନ୍ତା ରହିଛି।
ଏସିଆ କପ୍ ସମୟରେ ରାହୁଲଙ୍କ ପ୍ରଦର୍ଶନକୁ ନଜର ରଖାଯିବ କାରଣ ତାଙ୍କ ଉପସ୍ଥିତି ଭାରତୀୟ ମଧ୍ୟ କ୍ରମରେ ଶକ୍ତି ଏବଂ ନମନୀୟତା ଯୋଗାଉଛି | ସେପ୍ଟେମ୍ବର ୨ରେ ପାଲେକେଲେରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଆଘାତରୁ ଫେରିଥିବା ଆଉ ଜଣେ ବ୍ୟାଟର ଶ୍ରେୟାସ ଆୟର ଏହି ମ୍ୟାଚ ଖେଳିବେ ବୋଲି ଆଶା କରାଯାଉଛି।

ଶ୍ରେୟାସ ନେଟ୍ସରେ ଅନେକ ‘ଡ୍ରିଲ୍’ କରିଛନ୍ତି ଏବଂ ଏସିଆ କପ୍ ଦଳରେ ଚୟନ ପୂର୍ବରୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ‘ମ୍ୟାଚ୍ ସିମୁଲେସନ୍’ ମଧ୍ୟ କରିଛନ୍ତି। କିନ୍ତୁ ପ୍ରକୃତ ମ୍ୟାଚ୍ ଅବସ୍ଥାରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ
ଟିମ୍ ମ୍ୟାନେଜମେଣ୍ଟ ବ୍ୟଗ୍ର ।

ଜସପ୍ରୀତ ବୁମରା ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଉପରେ ମଧ୍ୟ ନଜର ରହିବ | ଆହତ କାରଣରୁ ଦୀର୍ଘ ସମୟ ଧରି ଦଳ ବାହାରେ ରହିବା ପରେ ଚଳିତ ମାସ ଆରମ୍ଭରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜ୍ ସମୟରେ ଉଭୟ ବୋଲର ଭାରତୀୟ ଦଳକୁ ଫେରିଥିଲେ, ଯେଉଁଥିରେ ସେମାନେ ଭଲ ବୋଲିଂ ମଧ୍ୟ କରିଥିଲେ। କିନ୍ତୁ ଦିନିକିଆ କ୍ରିକେଟର ଆବଶ୍ୟକତା ଟି-୨୦ ଅନ୍ତର୍ଜାତୀୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ସେମାନଙ୍କୁ ୧୦ ଓଭର ବୋଲିଂ କରିବା ସହ 50 ଓଭର ଯାଏଁ ଫିଲ୍ଡ କରିବାକୁ ପଡିବ। ଶ୍ରୀଲଙ୍କାର ଆର୍ଦ୍ର ପରିବେଶରେ ଏହି ଅତିରିକ୍ତ କାର୍ଯ୍ୟଭାର ଏହି ବୋଲର ଯୋଡି କିପରି ସମ୍ଭାଳିବେ ତାହା ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଦେଖିବାକୁ ଚାହିଁବ।

ଏସିଆ କପରେ ଭାରତ ସବୁଠାରୁ ଶକ୍ତିଶାଳୀ ଦଳ ହୋଇ ରହିଛି । କିନ୍ତୁ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ।

ଶ୍ରୀଲଙ୍କା ୬ ଥର ଏସିଆ କପ୍ ଜିତିଛି । କିନ୍ତୁ ବର୍ତ୍ତମାନ ଦୁଷ୍ମନ୍ତ ଚାମିରା, ୱାନିନ୍ଦୁ ହସରାଙ୍ଗା, ଲାହିରୁ କୁମାରା ଏବଂ ଦିଲଶାନ ମଧୁସଙ୍କା ଆହତ ଥିବାରୁ ଏକ ପୂର୍ଣ୍ଣ ଦଳ ପଡ଼ିଆକୁ ଓହ୍ଲାଇବାକୁ ସଂଘର୍ଷ କରୁଛି। ଏହି ପ୍ରମୁଖ ବୋଲରଙ୍କ ଅନୁପସ୍ଥିତି ଶ୍ରୀଲଙ୍କା ପାଇଁ ଚିନ୍ତାର କାରଣ ହେବ । କାରଣ ସେମାନେ ଦୀର୍ଘ ଦିନ ଧରି କ୍ରିକେଟରୁ ଦୂରରେ ରହିପାରନ୍ତି।
ଆହତ ଅବସ୍ଥାରେ ବାଂଲାଦେଶର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି । କାରଣ ତମିମ ଇକବାଲ ଏବଂ ଇବାଦତ ହୋସେନ ଆହତ ହୋଇ ବାଦ୍ ପଡିଛନ୍ତି । ଯାହାଫଳରେ ୬ ବର୍ଷର ବ୍ୟବଧାନ ପରେ ଶାକିବ ଅଲ ହାସନଙ୍କୁ ଦିନିକିଆ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି।

ଅନ୍ୟ ଦଳର ସମସ୍ୟା ଦୃଷ୍ଟିରୁ ପାକିସ୍ତାନ ସବୁଠୁ ସନ୍ତୁଳିତ ଦଳ ମନେ ହେଉଛି। ଦଳ ଏଥର ଟାଇଟଲ୍ ଜିତିବାକୁ ଚାହିଁବ ଏବଂ ଏହା ତାଙ୍କ ବିଶ୍ୱକପ୍ ଅଭିଯାନ ପାଇଁ ଆତ୍ମବିଶ୍ୱାସ ବଢାଇବ | ଆଫଗାନିସ୍ତାନକୁ ୩-୦ରେ ପରାସ୍ତ କରିବା ପରେ ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛି ‌। ଦଳ ଠିକ୍ ସମୟରେ ଶିଖର ଆଡ଼କୁ ଯାଉଛି। ନିକଟରେ ପାକିସ୍ତାନ ବନାମ ଆଫଗାନିସ୍ତାନ ସିରିଜରେ କ୍ରିକେଟରେ ଏକ ନୂଆ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଆଗାମୀ କିଛି ସପ୍ତାହରେ ଏହି ପ୍ରତିଦ୍ୱନ୍ଦ୍ୱିତା ପୁଣି ଦେଖିବାକୁ ମିଳିବ ଏବଂ କିଛି ନୂଆ ହିରୋ ମଧ୍ୟ ଆବିର୍ଭାବ ହେବେ |