ମହାରାଷ୍ଟ୍ର: ଏଟିଏମରୁ ବାହାରୁଛି ପାଞ୍ଚ ଗୁଣ ଅଧିକ ନଗଦ, ଟଙ୍କା ଉଠାଇବାକୁ ଲୋକଙ୍କ ଭିଡ଼ | News Room Odisha

ମହାରାଷ୍ଟ୍ର: ଏଟିଏମରୁ ବାହାରୁଛି ପାଞ୍ଚ ଗୁଣ ଅଧିକ ନଗଦ, ଟଙ୍କା ଉଠାଇବାକୁ ଲୋକଙ୍କ ଭିଡ଼

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଜଣେ ଯୁବକ ଏକ ଏଟିଏମରୁ ୫୦୦ ଟଙ୍କା ଉଠାଇବାକୁ ଯାଇଥିଲେ । ହେଲେ ସେ ଯାହା ଦେଖିଲେ ତାହାକୁ ବିଶ୍ବାସ କରିପାରିନଥିଲେ । ଗୋଟିଏ ୫୦୦ ଟଙ୍କା ବଦଳରେ ଏଟିଏମ୍ ମେସିନରୁ ପାଞ୍ଚଟି ୫୦୦ ଟଙ୍କିଆ ନୋଟ୍ ବାହାରିଥିଲା । ଏଟିଏମରୁ ପାଞ୍ଚ ଗୁଣ ଟଙ୍କା ବାହାରୁଥିବା କଥା ଚାରିଆଡ଼େ ପ୍ରଚାର ହେବା ମାତ୍ରେ ଟଙ୍କା ଉଠାଇବା ପାଇଁ ସେହି ଏଟିଏମ୍ ଆଗରେ ଲୋକଙ୍କ ଭିଡ଼ ଜମି ଯାଇଥିଲା ।

ଯୁବକ ଜଣକ ପୁଣି ସେହି ଏଟିଏମକୁ ଟଙ୍କା ବାହାର କରିବାକୁ ଯାଇଥିଲେ । ସେ ୫୦୦ ଟଙ୍କା କାଢ଼ିବା ବେଳକୁ ଏଟିଏମରୁ ପୁଣି ୨୫୦୦ ଟଙ୍କା ବାହାରିଥିଲା | ନାଗପୁର ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଖାପରଖେଡା ସହରର ଏକ ଘରୋଇ ବ୍ୟାଙ୍କର ଏଟିଏମରେ ବୁଧବାର ଏପରି ଘଟଣା ଘଟିଛି।

ଏହି ଖବର ସହରରେ ଜଙ୍ଗଲୀ ନିଆଁ ପରି ବ୍ୟାପି ଯାଇଥିଲା ଏବଂ ନଗଦ ଟଙ୍କା ଉଠାଇବା ପାଇଁ ଏଟିଏମ୍ କେନ୍ଦ୍ର ବାହାରେ ଭିଡ଼ ଜମିଥିଲା | ଏନେଇ ଜଣେ ବ୍ୟାଙ୍କ ଗ୍ରାହକ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏଟିଏମ କେନ୍ଦ୍ର ବନ୍ଦ କରି ବ୍ୟାଙ୍କକୁ ସୂଚନା ଦେଇଥିଲା।

ସେ କହିଛନ୍ତି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଟିଏମରୁ ଅତିରିକ୍ତ ନଗଦ ଟଙ୍କା ବାହାରୁଛି। ଜଣେ ଅଧିକାରୀ କହିଛନ୍ତି ଯେ ଏଟିଏମର ୧୦୦ ଟଙ୍କା ନୋଟ୍ ପାଇଁ ଉଦ୍ଦିଷ୍ଟ ଟ୍ରେ’ରେ ଭୁଲରେ ୫୦୦ ଟଙ୍କିଆ ନୋଟ୍ ରଖିଦିଆ ଯାଇଥିଲା। ସେ କହିଛନ୍ତି ଯେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ।