ହାଇ ସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆର ରୋମାଞ୍ଚକ ବିଜୟ, ନ୍ୟୁଜିଲ୍ୟାଣ୍ଡ ୫ ରନରେ ହାରିଲା | News Room Odisha

ହାଇ ସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆର ରୋମାଞ୍ଚକ ବିଜୟ, ନ୍ୟୁଜିଲ୍ୟାଣ୍ଡ ୫ ରନରେ ହାରିଲା

ଧର୍ମଶାଳା: ବିଶ୍ୱକପରେ ଶନିବାର ଏଠାରେ ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚରେ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ୫ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ରୋମାଞ୍ଚକ ବିଜୟ ହାସଲ କରିଛି। ବିଶ୍ୱକପ ପଦାର୍ପଣରେ ଟ୍ରାଭିସ୍ ହେଡଙ୍କ ଶତକ ଓ ଡେଭିଡ୍ ଓ୍ବାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୪୯.୨ ଓଭରରେ ୩୮୮ ରନରେ ଆଉଟ୍ ହୋଇଥିଲା। ତେବେ ଉଦୀୟମାନ ବ୍ୟାଟ୍ସମ୍ୟାନ୍ ରଚିନ୍ ରବିନ୍ଦ୍ରଙ୍କ (୧୧୬)ଙ୍କ ଶତକ ଓ ଜିମ୍ମି ନିଶାମ(୫୮)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ଏହି ବିଶାଳ ବିଜୟଲକ୍ଷ୍ୟ ଜବାବରେ ୯ ୱିକେଟ୍ ହରାଇ ୩୮୩ ରନ୍ କରିବାକୁ ସମର୍ଥ ହୋଇଥିଲା । ରବୀନ୍ଦ୍ର ଓ ନିଶାମଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡାରିଲ ମିଚେଲ ୫୪ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ତରଫରୁ ସ୍ପିନର ଆଡାମ୍ ଜାମ୍ପା ୩ଟି ଓ୍ବିକେଟ୍ ନେଇଥିବା ବେଳେ ଅଧିନାୟକ ପ୍ୟାଟ୍ କମିନ୍ସ ଓ ଜୋସ୍ ହାଜଲଉଡ୍ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ଅଷ୍ଟ୍ରେଲିଆର ଏହା ୬ଟି ମ୍ୟାଚରୁ ଚତୁର୍ଥ ବିଜୟ | ଦଳ ଚତୁର୍ଥ ସ୍ଥାନ ବଜାୟ ରଖିଛି । ସମାନ ମ୍ୟାଚ୍‌ରୁ ନ୍ୟୁଜିଲ୍ୟାଣ୍ଡର ଏହା ଦ୍ୱିତୀୟ ପରାଜୟ । ତେବେ ଏହି ପରାଜୟ ସତ୍ତ୍ୱେ ଦଳ ତୃତୀୟ ସ୍ଥାନରେ ରହିଛି ।

ଏହି ମ୍ୟାଚରେ ମୋଟ ୭୭୧ ରନ୍ ହୋଇଥିଲା, ଯାହାକି ବିଶ୍ୱକପ୍ ଇତିହାସରେ ଏକ ରେକର୍ଡ ।

ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର କାମଚଳା ଅଧିନାୟକ ଟମ୍ ଲାଥାମ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ୪୯.୨ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୩୮୮ ରନ୍ କରି ଆଉଟ୍ ହୋଇଥିଲା । ଆଘାତରୁ ଫେରି ନିଜ କ୍ୟାରିୟରର ପ୍ରଥମ ବିଶ୍ବକପ୍ ମ୍ୟାଚ୍ ଖେଳୁଥିବା ଟ୍ରାଭିସ୍ ହେଡ୍ ୬୭ ବଲରେ ଚମତ୍କାର ୧୦୯ ରନ୍ କରିଥିଲେ । ତାଙ୍କର ଏହି ଶତକୀୟ ଇନିଂସରେ ସେ ୧୦ଟି ଚୌକା ଓ ୬ ଛକା ମାରିଥିଲେ। ଓପନର୍ ଡେଭିଡ୍ ୱାର୍ଣ୍ଣର ୮୧ ରନ୍ ସଂଗ୍ରହ କରିଥିଲେ। ୱାର୍ଣ୍ଣର ଏବଂ ହେଡ୍ ପ୍ରଥମ ଓ୍ବିକେଟରେ ୧୭୫ ରନ୍ ଭାଗିଦାରୀ କରିଥିଲେ | ଏ ଦୁହିଁଙ୍କ ବ୍ୟତୀତ ଗ୍ଲେନ୍ ମ୍ୟାକ୍ସୱେଲ ୨୪ ବଲରେ ୫ ଚୌକା ଓ ୨ ଛକା ସହ ୪୧ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ୩୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ପେସର ଟ୍ରେଣ୍ଟ ବୋଲ୍ଟ ୭୭ ରନ୍ ବ୍ୟୟରେ ୩ ୱିକେଟ୍ ହାସଲ କରିଥିବା ବେଳେ ମିଚେଲ ସାଣ୍ଟନର୍ ୨ଟି ୱିକେଟ୍ ପାଇଥିଲେ ।