ଦକ୍ଷିଣ ଆଫ୍ରିକା ପୁଣି ନକ୍ ଆଉଟରୁ ବିଦା‌, ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା | News Room Odisha

ଦକ୍ଷିଣ ଆଫ୍ରିକା ପୁଣି ନକ୍ ଆଉଟରୁ ବିଦା‌, ବିଶ୍ବକପ୍ ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା

କୋଲକାତା: ବିଶ୍ବକପ୍ ଫାଇନାଲରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ଇଡେନ୍ ଗାର୍ଡେନ୍ସରେ ଗୁରୁବାର ଖେଳାଯାଇଥିବା ରୋମାଞ୍ଚକ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩ ଓ୍ବିକେଟରେ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି । ଲୋ ସ୍କୋରିଂ ସତ୍ତ୍ବେ ଦ୍ବିତୀୟ ସେମିଫାଇନାଲ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା ।

ଡେଭିଡ୍ ମିଲରଙ୍କ ଲଢ଼ୁଆ ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍ କରିଥିଲା ‌। ଜବାବରେ ଅଷ୍ଟ୍ରେଲିଆ ୪୭.୫ ଓଭରରେ ୭ ଓ୍ବିକେଟ୍ ହରାଇ ବିଜୟ ହାସଲ କରିଥିଲା । ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍ ଆଉଟ୍ ରାଉଣ୍ଡରେ ଝୁଣ୍ଟି ‘ଚୋକର୍’ ଆଖ୍ୟା ବଜାୟ ରଖିଛି ।

ଆସନ୍ତା ରବିବାର (ନଭେମ୍ବର ୧୯) ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆର ମୁକାବିଲା ଭାରତ ସହ ହେବ । ଦୁଇ ଦଳ ୨୦ ବର୍ଷ ପରେ ଦିନିକିଆ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବେ । ଶେଷଥର ଉଭୟ ଟିମ୍ ୨୦୦୩ ବିଶ୍ବକପ ଫାଇନାଲରେ ଭେଟିଥିଲେ ଓ ଅଷ୍ଟ୍ରେଲିଆ ବାଜି ମାରିନେଇଥିଲା ।

ଦକ୍ଷିଣ ଆଫ୍ରିକା ପ୍ରଦତ୍ତ ୨୧୩ ରନର ବିଜୟଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆର ଓପନିଂ ଯୋଡ଼ି ଡେଭିଡ୍ ଓ୍ବାର୍ଣ୍ଣର(୨୯) ଓ ଟ୍ରାଭିସ୍ ହେଡ୍ (୬୨) ବିସ୍ଫୋରକ ଆରମ୍ଭ କରିଥିଲେ । ମାତ୍ର ୬ ଓଭର ବେଳକୁ ଅଷ୍ଟ୍ରେଲିଆର ସ୍କୋର ୬୦ ରନ୍ ଟପିଥିଲା । ଲାଗୁଥିଲା ଅଷ୍ଟ୍ରେଲିଆ ସହଜରେ ଏହି ମ୍ୟାଚ୍ ଜିତିବ ।

ହେଲେ ଏହା ପରେ ମ୍ୟାଚରେ ଆସିଥିଲା ଟ୍ବିଷ୍ଟ । ଓ୍ବାର୍ଣ୍ଣରଙ୍କୁ ଆଉଟ୍ କରି ମାର୍କ୍ରମ ଦକ୍ଷିଣ ଆଫ୍ରିକାକୁ ଦେଇଥିଲେ ପ୍ରଥମ ସଫଳତା । ମିଚେଲ୍ ମାର୍ଶ ଖାତା ଖୋଲିବା ପୂର୍ବରୁ ରାବାଡାଙ୍କ ଶିକାର ହୋଇଥିଲେ । ହେଡଙ୍କୁ କେଶବ ମହାରାଜ କ୍ଲିନ୍ ବୋଲ୍ଡ କରିବା ପରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା ଦକ୍ଷିଣ ଆଫ୍ରିକା । ମାର୍ନସ୍ ଲାବୁସେନ୍(୧୮) ଓ ଗ୍ଲେନ୍ ମ୍ୟାକ୍ସଓ୍ବେଲ୍(୧)ଙ୍କୁ ଆଉଟ୍ କରି ତାବ୍ରେଜ ଶାମସି ମ୍ୟାଚରେ ରୋମାଞ୍ଚ ଭରିଦେଇଥିଲେ ।

ଅଷ୍ଟ୍ରେଲିଆ ୧୩୭ ରନରେ ୫ ଓ୍ବିକେଟ୍ ହରାଇଥିଲା । ତେବେ ଷ୍ଟିଭ୍ ସ୍ମିଥ୍(୩୦) ଓ ଜୋସ୍ ଇଂଲିଶ୍(୨୮) ଷଷ୍ଠ ଓ୍ବିକେଟରେ ୩୭ ରନ୍ ଯୋଗକରି ଦଳକୁ ବିଜୟ ଲକ୍ଷ୍ୟର ନିକଟତର କରାଇଥିଲେ । ତେବେ କୋଏଜି ଉଭୟ ସ୍ମିଥ୍ ଓ ଇଂଲିଶଙ୍କୁ ଆଉଟ୍ କରି ପୁଣି ଦକ୍ଷିଣ ଆଫ୍ରିକାର ଆଶା ଉଜ୍ଜୀବିତ କରିଥିଲେ । ବିଜୟ ପାଇଁ ଆଉ ୨୦ ରନ୍ ଆବଶ୍ୟକ ହେଉଥିବା ବେଳେ ଅଷ୍ଟ୍ରେଲିଆ ୭ ଓ୍ବିକେଟ୍ ହରାଇଥିଲା ।

ହେଲେ ଅଧିନାୟକ ପ୍ୟାଟ୍ କମିନ୍ସ (୧୪*) ଓ ମିଚେଲ ଷ୍ଟାର୍କ(୧୬*) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ଔପଚାରିକତା ପୂରଣ କରି ଅଷ୍ଟ୍ରେଲିଆର ଫାଇନାଲ୍ ପ୍ରବେଶ ନିଶ୍ଚିତ କରିଥିଲେ । ହେଡ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଏଜି ଓ ଶାମସି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡରକୁ ଅଷ୍ଟ୍ରେଲିଆର ନୂଆ ବଲ୍ ଯୋଡ଼ି ମିଚେଲ୍ ଷ୍ଟାର୍କ ଓ ଜୋସ୍ ହାଜଲଉଡ୍ ପାଇଲା କରିଥିଲେ । ଦକ୍ଷିଣ ଆଫ୍ରିକାର ଟପ୍ ଚାରି ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ (୩), ତେମ୍ବା ବାଭୁମା (୦), ରାସି ଭାନ୍ ଡର୍ ଡୁସେନ୍ (୬) ଏବଂ ଏଡେନ ମାର୍କ୍ରାମ (୧୦) ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। ୧୨ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର୍ ଥିଲା ୨୪ ରନ୍ ଓ ଦଳ ୪ଟି ୱିକେଟ୍ ହରାଇ ବଡ଼ ଅସୁବିଧାରେ ପଡ଼ିଥିଲା।

ଏହାପରେ ବର୍ଷା ଯୋଗୁଁ ଖେଳ ୪୦ ମିନିଟ୍ ଧରି ବାଧାପ୍ରାପ୍ତ ହୋଇଥିଲା । ଦକ୍ଷିଣ ଆଫ୍ରିକା ସେତେବେଳକୁ ୧୪ ଓଭରରେ ଚାରି ୱିକେଟ୍ ହରାଇ ୪୪ ରନ୍ କରିଥିଲା।

ବର୍ଷା ବିରତି ପରେ ମିଲର୍ ଓ ହାଇନରିଚ୍ କ୍ଲାସେନ୍ (୪୭) ଦକ୍ଷିଣ ଆଫ୍ରିକାର ପାଳି ସମ୍ଭାଳିଥିଲେ । ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୯୫ ରନର ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ କିଛି ମାତ୍ରାରେ ଆଶ୍ବସ୍ତ ଦେଇଥିଲେ ।

ମିଲର୍ ଲଢ଼ୁଆ ପ୍ରଦର୍ଶନ ସହ ନିଜ ଦିନିକିଆ କ୍ୟାରିୟରର ଷଷ୍ଠ ଶତକ ପୂରଣ କରିଥିଲେ । ସେ ୧୧୬ ବଲରେ ୮ ଚୌକା ଓ ୫ ଛକା ସହ ୧୦୧ ରନ୍ କରିଥିଲେ। ପ୍ୟାଟ୍ କମିନ୍ସଙ୍କ ବଲରେ ଏକ ୯୪ ମିଟର ଛକି ମାରି ମିଲର୍ ନିଜ ଶତକ ପୂରଣ କରିଥିଲେ | ବିଶ୍ୱକପର କୌଣସି ନକ୍ଆଉଟ୍ ମ୍ୟାଚରେ ଶତକ ହାସଲ କରିବାରେ ମିଲର୍ ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

କ୍ଲାସେନ୍ ଆଉଟ୍ ହେବା ପରେ ମିଲର୍ ସପ୍ତମ ୱିକେଟରେ ଜେରାଲ୍ଡ କୋଏଜି (୧୯)ଙ୍କ ସହ ମିଶି ପୁଣି ୫୩ ରନ୍ ଯୋଗ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୨୦୦ ରନ୍ ଟପିଥିଲା । ମିଲର୍ ୪୮ ତମ ଓଭରରେ ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ଇନିଂସ୍ ୪୯.୪ ଓଭରରେ ୨୧୨ ରନରେ ଶେଷ ହୋଇଥିଲା ।

ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ଓ ଅଧିନାୟକ କମିନ୍ସ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ହାଜଲେଉଡ୍ ଓ ହେଡ୍ ୨-୨ ଓ୍ବିକେଟ୍ ପାଇଥିଲେ ।