ଆଇସିସି ମହିଳା ବିଶ୍ୱକପ: ଅଷ୍ଟ୍ରେଲିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ | News Room Odisha

ଆଇସିସି ମହିଳା ବିଶ୍ୱକପ: ଅଷ୍ଟ୍ରେଲିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ

ଖ୍ରୀଷ୍ଟଚର୍ଚ୍ଚ: ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଟାଇଟଲ ଜିତିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଗତ ଥରର ବିଜେତା ଇଂଲଣ୍ଡକୁ ୭୧ ରନରେ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆଲିସା ହିଲିଙ୍କ ଚମତ୍କାର ଶତକ ବଳରେ 5 ଓ୍ବିକେଟ୍ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନର ବିଶାଳ ସ୍କୋର୍ କରିଥିଲା । ଓପନର୍ ଆଲିସା ହିଲି ମାତ୍ର ୧୩୮ ବଲରେ ଚିତ୍ତାକର୍ଷକ ୧୭୦ ରନ୍ କରି କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ। ୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ଜବାବରେ ନାତାଲୀ ସିଭରଙ୍କ ଅପରାଜିତ ଶତକ ସତ୍ତ୍ୱେ ଇଂଲଣ୍ଡ ଦଳ ୪୩.୪ ଓଭରରେ ୨୮୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ହେଲି ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ ।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ଭଲ ଆରମ୍ଭ କରିଥିଲା | ଅଷ୍ଟ୍ରେଲିଆର ଓପନିଂ ଯୋଡ଼ି ପ୍ରଥମ ୱିକେଟ ପାଇଁ ୧୬୦ ରନ୍ ଯୋଡିଥିଲେ ​​| ରାଚେଲ ହେନ୍ସ ୯୩ ବଲରୁ ୬୮ ରନ୍ କରି ଆଉଟ୍ ହୋଇଥିଲେ। ସ୍କୋର ୩୧୬ ରନ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ୱିକେଟ୍ ହରାଇଥିଲା । ଏଥିରୁ ଇଂଲଣ୍ଡ ବୋଲିଂ ଉପରେ ଅଷ୍ଟ୍ରେଲିଆର କିଭଳି ପ୍ରଭାବ ଥିଲା ତାହା ସ୍ପଷ୍ଟ ଜଣାପଡ଼ୁଛି । ଆଲିସା ହିଲି ଚମତ୍କାର ଶତକ ହାସଲ କରିଥିଲେ । ସେ ୧୩୮ ବଲରୁ ୨୬ଟି ଚୌକା ସହ ୧୭୦ ରନର ଇନିଂସ ଖେଳିବା ପରେ ଆଉଟ୍ ହୋଇଥିଲେ। ହେନ୍ସ ଏବଂ ହେଲିଙ୍କ ବ୍ୟତୀତ ବେଥ୍ ମୁନି ୪୭ ବଲରେ ୬୨ ରନ୍ ସଂଗ୍ରହ କରିଥିଲେ।

ଇଂଲଣ୍ଡ ତରଫରୁ ଅନ୍ୟା ଶ୍ରାବସୋଲ ୪୬ ରନରେ ୩ ୱିକେଟ୍ ନେଇଥିଲେ।

୩୫୭ ରନ୍ ଜବାବର ଇଂଲଣ୍ଡ ଭଲ ଆରମ୍ଭ କରିନଥିଲା। ତୃତୀୟ ଓଭରରେ ଅଷ୍ଟ୍ରେଲିଆ ପ୍ରଥମ ସଫଳତା ହାସଲ କଲା। ସେମିଫାଇନାଲରେ ଶତକ ହାସଲ କରିଥିବା ଡାନିଏଲ୍ ୟାଟ୍ ୪ ରନ୍ କରିବା ପରେ ଆଉଟ୍ ହୋଇଯାଇଥିଲେ । ମେଗାନ୍ ଶଟ୍ ତାଙ୍କ ୱିକେଟ୍ ନେଇଥିଲେ। ଗୋଟିଏ ପଟେ ନାତାଲୀ ସିଭର ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟ ପଟେ ତାଙ୍କୁ କୌଣସି ସମର୍ଥନ ମିଳିନଥିଲା। ସେ ୧୪୮ ରନର ଲଢ଼ୁଆ ଇନିଂସ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଏହା ଇଂଲଣ୍ଡକୁ ବିଜୟ ଦେବାରେ ଯଥେଷ୍ଟ ନଥିଲା | ଇଂଲଣ୍ଡ ୨୮୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା ।

ମହିଳା ବିଶ୍ୱକପର ଯେକୌଣସି ଫାଇନାଲରେ ଅଷ୍ଟ୍ରେଲିଆର ସ୍କୋର ୩୫୬/୫ ସର୍ବାଧିକ ସ୍କୋର ଅଟେ | ପ୍ରଥମ ଥର ପାଇଁ ବିଶ୍ୱକପ ଫାଇନାଲରେ ଏକ ଦଳ ୩୦୦ ରୁ ଅଧିକ ରନ୍ ସଂଗ୍ରହ କରିଛି | ପୂର୍ବ ରେକର୍ଡ ୨୫୯/୭ ଥିଲା | ୨୦୧୩ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ଏହି ସ୍କୋର କରିଥିଲା।

ଏହାଛଡ଼ା ଆଲିସା ହିଲିଙ୍କ ୧୭୦ ରନର ଇନିଂସ୍ ହେଉଛି ମହିଳା ବିଶ୍ୱକପ ଫାଇନାଲ ଇତିହାସରେ ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର୍ | ପୂର୍ବ ରେକର୍ଡ ଅଷ୍ଟ୍ରେଲିଆର କିରାନ୍ ରୋଲଟନଙ୍କ ନାମରେ ଥିଲା | ୨୦୦୫ ରେ ଭାରତ ବିପକ୍ଷ ଫାଇନାଲରେ ରୋଲଟନ୍ ୧୦୭ ରନର ଅପରାଜିତ ଇନିଂସ ଖେଳିଥିଲେ।

ମହିଳା ଏବଂ ପୁରୁଷ ବିଶ୍ୱକପ ଫାଇନାଲରେ ହିଲିଙ୍କ ଇନିଂସ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଅଟେ | ପୂର୍ବ ରେକର୍ଡ ଅଷ୍ଟ୍ରେଲୀୟ ପୁରୁଷ ଦଳର ଖେଳାଳି ଆଡାମ ଗିଲକ୍ରିଷ୍ଟଙ୍କ ନାମରେ ଥିଲା। ୨୦୦୩ ବିଶ୍ୱକପର ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଗିଲକ୍ରିଷ୍ଟ ୧୪୯ ରନ୍ କରିଥିଲେ।

ମହିଳା ବିଶ୍ୱକପରେ ଅଷ୍ଟ୍ରେଲିଆର ଦଳ ପୂର୍ବରୁ ସବୁଠାରୁ ସଫଳ ଦଳ ଥିଲା | ବର୍ତ୍ତମାନ ଅଷ୍ଟ୍ରେଲିଆ ନାମରେ ୧୨ ଟି ଟାଇଟଲ୍ ମଧ୍ୟରୁ ୭ ଟି ଅଛି | ଇଂଲଣ୍ଡ ଚାରିଥର ଏବଂ ନ୍ୟୁଜିଲ୍ୟାଣ୍ଡ ଥରେ ଟାଇଟଲ ଜିତିଛି। ଭାରତୀୟ ଦଳ ଦୁଇଥର ଫାଇନାଲରେ ପହଞ୍ଚିଛି, କିନ୍ତୁ ଥରେ ବି ଟାଇଟଲ ଜିତିପାରି ନାହିଁ ।