ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ରଡନୀ ମାର୍ଶଙ୍କର ଦେହାନ୍ତ | News Room Odisha

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ରଡନୀ ମାର୍ଶଙ୍କର ଦେହାନ୍ତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରଡନୀ ମାର୍ଶଙ୍କର ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୪୭ ମସିହାରେ ଜନ୍ମ ହୋଇଥିବା ମାର୍ଶ ଅଷ୍ଟ୍ରେଲିଆ ପାଇଁ ୯୬ ଟି ଟେଷ୍ଟ ଏବଂ ୯୨ଟି ଦିନିକିଆ ଖେଳିଥିଲେ | ମାର୍ଶ ଗତ ଗୁରୁବାର କୁଇନ୍ସଲ୍ୟାଣ୍ଡରେ ହୃଦଘାତର ଶିକାର ହେବା ପରେ କୋମାକୁ ଚାଲି ଯାଇଥିଲେ । ଆଡିଲେଡର ଏକ ଡାକ୍ତରଖାନାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ସେ ଅଷ୍ଟ୍ରେଲିଆ ପାଇଁ ୧୯୭୦ ରୁ ୧୯୮୪ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ |

ଅବସର ସମୟରେ ମାର୍ଶ ବିଶ୍ବର ସବୁଠାରୁ ସଫଳ ଟେଷ୍ଟ ୱିକେଟ୍ କିପର ଥିଲେ। ୯୬ ଟି ଟେଷ୍ଟ ମ୍ୟାଚରେ ମାର୍ଶ ୩୫୫ ଶିକାର କରିଥିଲେ। ଅଷ୍ଟ୍ରେଲିଆର ସଫଳ ଟେଷ୍ଟ ୱିକେଟ୍ କିପରଙ୍କ ତାଲିକାରେ ମାର୍ଶଙ୍କ ସ୍ଥାନ ତୃତୀୟ । ୪୧୬ ଶିକାର ସହିତ ଆଡାମ ଗିଲକ୍ରିଷ୍ଟ ପ୍ରଥମ ଏବଂ ୩୯୫ ଶିକାର ସହିତ ଇଆନ ହିଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି | ସେ ୨୦୧୬ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।

ରଡ୍ ମାର୍ଶଙ୍କ ମୃତ୍ୟୁ ପରେ ଅନେକ ଭେଟେରାନ୍ ଖେଳାଳି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ଟେଷ୍ଟର ଅନ୍ୟତମ ସଫଳ ବୋଲର ସେନ୍ ୱାର୍ଣ୍ଣ ଟ୍ୱିଟରରେ ଲେଖିଛନ୍ତି, ରଡ୍ ମାର୍ଶଙ୍କ ବିୟୋଗ ଖବର ଶୁଣି ଦୁଃଖିତ। ସେ ଆମ ଖେଳର କିମ୍ବଦନ୍ତୀ ଥିଲେ ଏବଂ ଅନେକ ଯୁବ ଖେଳାଳିଙ୍କୁ ପ୍ରେରଣା ଦେଇଥିଲେ |

ମାର୍ଶ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିବା ପ୍ରଥମ ଅଷ୍ଟ୍ରେଲୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଥିଲେ। ସେ ୨୬.୫୧ ହାରରେ ୧୫୦ ଟେଷ୍ଟ ଇନିଂସରେ ୩୬୩୩ ରନ୍ କରିଥିଲେ | ଏଥିରେ ୩ଟି ଶତକ ଏବଂ ୧୬ ଅର୍ଦ୍ଧ ଶତକ ରହିଛି | ସେ ଦିନିକିଆର ୧୨୨୫ ରନ୍ କରିଥିଲେ |