ହିଟ୍ ଆଣ୍ଡ୍ ରନ୍ ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ଯୁବତୀଙ୍କ ସହ ବଳାତ୍କାର ହୋଇନି, ଘୋଷାଡି ହେବା ଯୋଗୁଁ ମୃତ୍ୟୁ  | News Room Odisha

ହିଟ୍ ଆଣ୍ଡ୍ ରନ୍ ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ଯୁବତୀଙ୍କ ସହ ବଳାତ୍କାର ହୋଇନି, ଘୋଷାଡି ହେବା ଯୋଗୁଁ ମୃତ୍ୟୁ 

ନୂଆଦିଲ୍ଲୀ: ଦିଲ୍ଲୀ କଞ୍ଝାୱାଲା ହିଟ୍ ଆଣ୍ଡ୍ ରନ୍ ମାମଲାରେ ମୃତ ଯୁବତୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଏଥିରେ କୁହାଯାଇଛି ଯେ ତାଙ୍କୁ ବଳାତ୍କାର କରାଯାଇ ନାହିଁ। ସୂତ୍ରରୁ ପ୍ରକାଶ ଯେ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ତିନିଜଣ ଡାକ୍ତରଙ୍କ ଏକ ପ୍ୟାନେଲ ଦ୍ୱାରା କରାଯାଇଥିଲା। ପୀଡିତାଙ୍କ ପ୍ରାଇଭେଟ୍ ପାର୍ଟରେ କୌଣସି କ୍ଷତ ଚିହ୍ନ ନାହିଁ ବୋଲି ସୂତ୍ରରୁ ପ୍ରକାଶ। କାର୍ ଦ୍ବାରା ଘୋଷାଡି ହେବା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି । ତିନିଜଣ ଡାକ୍ତରଙ୍କ ଏକ ପ୍ୟାନେଲ ସୋମବାର ପୋଷ୍ଟମର୍ଟମ କରିଥିଲେ। ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ଉପକଣ୍ଠରେ ଏକ ଭୟଙ୍କର ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଯୁବତୀଙ୍କୁ ଧକ୍କା ଦେବାପରେ ଏକ ମାରୁତି ବଲେନୋ କାର୍ ସୁଲତାନପୁରୀରୁ କାଞ୍ଜୱାଲା ପର୍ଯ୍ୟନ୍ତ ଯୁବତୀଙ୍କୁ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ମିଳିଥିବାରୁ ପରିବାର ଲୋକେ ବଳାତ୍କାର ଓ ହତ୍ୟା ଅଭିଯୋଗ କରିଥିଲେ । ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ ହୋଇଛି ।

କାର୍ ତଳେ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହେବା ପରେ ଯୁବତୀଙ୍କ ପୋଷାକ ଛିଣ୍ଡି ଚିରି ଯାଇଥିଲା । ତେଣୁ ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲା ବୋଲି ପୋଲିସ କହିଛି ।

ସେପଟେ ଆଜି ଯୁବତୀଙ୍କ ଅନ୍ତିମ ସଂସ୍କାର ହେବ। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ସୁଲତାନପୁରୀ ଓ ଯୁବତୀଙ୍କ ଘର ପାଖରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଉଛି। ବର୍ତ୍ତମାନ ପୋଷ୍ଟ ମର୍ଟମ ରିପୋର୍ଟ ଏବଂ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୋଲିସ ଆଶ୍ବସ୍ତ ହୋଇଛି । କାରଣ ଯୁବତୀଙ୍କ ପରିବାର ଲୋକ ଏହା ଏକ ବଳାତ୍କାର ଓ ହତ୍ୟା ମାମଲା ବୋଲି ଅଭିଯୋଗ କରିଥିଲେ । ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଯୁବତୀଙ୍କୁ ଆଗରୁ ଜାଣିନଥିଲେ । ତେବେ ସେମାନେ ମଦ ପିଇ ଡ୍ରାଇଭିଂ କରୁଥିଲେ ବୋଲି ପୋଲିସ ନିଶ୍ଚିତ କରିଛି |

ଏହାପୂର୍ବରୁ ଆଜି ଦିଲ୍ଲୀ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ଘଟଣା ସମୟରେ ଯୁବତୀଙ୍କ ସହ ଅନ୍ୟ ଜଣେ ମହିଳା ମଧ୍ୟ ଥିଲେ। ସେ ଏଥିରୁ ବର୍ତ୍ତି ଯାଇଥିଲେ ଓ ଭୟରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ‘ଏହି ମାମଲାରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଉଛି। ଅଭିଯୁକ୍ତଙ୍କୁ ଦଣ୍ଡ ଦେବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି। ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଖୁବ ଶୀଘ୍ର ଦିଲ୍ଲୀ ପୋଲିସ ତଦନ୍ତ ଶେଷ କରିବ ଏବଂ ଦୋଷୀମାନଙ୍କୁ ଦଣ୍ଡ ମିଳିବ।