ବିମାନ ଭିତରେ ସିଗାରେଟ୍ ଟାଣୁଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍, କେନ୍ଦ୍ର ମନ୍ତ୍ରୀ ସିନ୍ଧିଆ ଦେଲେ ତଦନ୍ତ ନିର୍ଦ୍ଦେଶ | News Room Odisha

ବିମାନ ଭିତରେ ସିଗାରେଟ୍ ଟାଣୁଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍, କେନ୍ଦ୍ର ମନ୍ତ୍ରୀ ସିନ୍ଧିଆ ଦେଲେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିମାନ ଭିତରେ ସିଗାରେଟ ଟାଣୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଏନେଇ କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୟାଗ୍ କରି ଅଭିଯୋଗ କରୁଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଜଣେ ଟ୍ବିଟର ୟୁଜରଙ୍କ ପୋଷ୍ଟରେ ଉତ୍ତର ଦେଇଛନ୍ତି।

ପ୍ରକୃତରେ ଏହି ଭିଡିଓଟି ୨୩ ଜାନୁୟାରୀ ୨୦୨୨ର ଅଟେ | ବିମାନ ଭିତରେ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ନାମ ହେଉଛି ବଲୱିନ୍ଦର କାଟାରିଆ ଓରଫ୍ ବବି କାଟାରିଆ। ଏହି ଭିଡିଓ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖବର ଅନୁଯାୟୀ, ୨୩ ଜାନୁୟାରୀ ୨୦୨୨ରେ ବଲୱିନ୍ଦର କାଟାରିଆ ସ୍ପାଇସଜେଟ୍ ବିମାନରେ ଦୁବାଇରୁ ଦିଲ୍ଲୀ ଯାତ୍ରା କରିଥିଲେ। ସେହି ସମୟ ମଧ୍ୟରେ ଏହି ଭିଡିଓ ତିଆରି କରାଯାଇଥିଲା | ପରେ ଭିଡିଓଟି ସୋସିଆଲ ମିଡିଆରୁ ହଟାଇ ଦିଆଯାଇଥିଲା | ଅଧିକାରୀ କହିଛନ୍ତି ଯେ ବିମାନ ଚଳାଚଳ ସୁରକ୍ଷା ବଲୱିନ୍ଦରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଭିଡିଓରେ ହଳଦିଆ ଟି-ସାର୍ଟ ପିନ୍ଧିଥିବା ଏବଂ ଦାଢ଼ି ରଖିଥିବା ବଲୱିନ୍ଦର ବିମାନ ଭିତରେ ସିଗାରେଟ ଟାଣୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସେ ଜୋତା ପିନ୍ଧି ବିମାନର ତିନୋଟି ସିଟ୍ ଉପରେ ଶୋଇଛନ୍ତି । ଭିଡିଓର ପୃଷ୍ଠଭୂମିରେ ଏକ ଗୀତ ମଧ୍ୟ ବାଜୁଛି, ଯାହା ସ୍ପଷ୍ଟ ଭାବରେ ଶୁଣାଯାଉନି | ବିମାନ ସିଟ୍ ଉପରେ ଶୋଇ ବ୍ୟକ୍ତି ଜଣକ ଲାଇଟର୍ ଦ୍ଵାରା ସିଗାରେଟ୍ ଲଗାଉଛନ୍ତି ଏବଂ ପରେ ପାଟିରୂ ବହଳ ଧୂଆଁ ଛାଡୁଛନ୍ତି। ଏହି ସମୟରେ ତାଙ୍କ ମୁହଁରେ ଏକ କୁଟିଳ ହସ ଦେଖାଯାଉଛି |

ଉତ୍ତରପ୍ରଦେଶର ଖାନପୁରର ବିଧାୟକ ଉମେଶ କୁମାର ଏହି ଭିଡିଓ ଟୁଇଟ୍ ଓ ଟ୍ୟାଗ୍ କରି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଅଭିଯୋଗ କରିବା ପରେ ଭିଡିଓଟି ଭାଇରାଲ ହୋଇଥିଲା । ଏନେଇ ଜଣେ ୟୁଜର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାର ଉତ୍ତରରେ ଲେଖିଛନ୍ତି, ଆମେ ଏହାର ଯାଞ୍ଚ୍ କରୁଛୁ। ଏପରି ବିପଦପୂର୍ଣ୍ଣ ଆଚରଣକୁ ବରଦାସ୍ତ କରାଯିବ ନାହିଁ।”

ବିମାନରେ ସିଗାରେଟ ଟାଣୁଥିବା ଭିଡିଓ ଭାଇରାଲ ହେବା ପରେ ସ୍ପାଇସଜେଟ ଏୟାରଲାଇନ୍ସ ସ୍ପଷ୍ଟୀକରଣ ଦେଇଛି। ସ୍ପାଇସଜେଟ କହିଛି ଯେ, ବିମାନରେ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ଭିଡିଓ ସମ୍ପର୍କରେ ଜାନୁଆରୀ ୨୦୨୨ରେ ହିଁ ତଦନ୍ତ ଶେଷ ହୋଇଛି। ବିମାନ କମ୍ପାନୀ କହିଛି ଯେ ଗୁରୁଗ୍ରାମର ଉଦୟ ବିହାର ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା ।