ଓଡ଼ିଶା ଟ୍ରେନ୍ ଟ୍ରାଜେଡି: ଭୁବନେଶ୍ୱରରୁ ଚଳାଚଳ କରୁଥିବା ଫ୍ଲାଇଟ୍ ଗୁଡ଼ିକର ଭଡ଼ା ବୃଦ୍ଧି ନକରିବାକୁ ନିର୍ଦ୍ଦେଶ | News Room Odisha

ଓଡ଼ିଶା ଟ୍ରେନ୍ ଟ୍ରାଜେଡି: ଭୁବନେଶ୍ୱରରୁ ଚଳାଚଳ କରୁଥିବା ଫ୍ଲାଇଟ୍ ଗୁଡ଼ିକର ଭଡ଼ା ବୃଦ୍ଧି ନକରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବାବେଳେ ୧୦୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ କ୍ଷତିଗ୍ରସ୍ତ କୋଚଗୁଡ଼ିକୁ ହଟାଇବା ସହ ଟ୍ରାକଗୁଡିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି | ଏହି ସମୟରେ ବେସାମରିକ ବିମାନ ଉଡ଼ାଣ ମନ୍ତ୍ରଣାଳୟ ସମସ୍ତ ଏୟାରଲାଇନ ଗୁଡ଼ିକୁ ଭଡ଼ା ବୃଦ୍ଧି ନକରିବାକୁ କହିଛି।

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପରେ ପ୍ରଭାବିତ ରୁଟରେ ରେଳ ଚଳାଚଳ ବାତିଲ ହୋଇଛି । ଫଳରେ ଅଧିକାଂଶ ଲୋକ ଏବେ ବିମାନଯାତ୍ରା ଉପରେ ନିର୍ଭରଶୀଳ । ଏପରି ସ୍ଥିତିରେ ଭଡ଼ା ବଢ଼ାଇ ଏୟାରଲାଇନ ଗୁଡ଼ିକ ଫାଇଦା ଉଠାଇ ପାରନ୍ତି । ତେଣୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭଡ଼ା ବୃଦ୍ଧି ନକରିବାକୁ ସେମାନଙ୍କୁ ପରାମର୍ଶ ଦେଇଛି। ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ଆତ୍ମୀୟଙ୍କ ଶବ ନିଜ ରାଜ୍ୟକୁ ଆଣିବାରେ ଲୋକଙ୍କୁ ସହଯୋଗ କରିବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ମଧ୍ୟରେ ଭୁବନେଶ୍ୱରରୁ ଚଳାଚଳ କରୁଥିବା ସବୁ ଏୟାରଲାଇନ ଗୁଡ଼ିକୁ ଫ୍ଲାଇଟ୍ ଭଡ଼ାରେ ଅସାଧାରଣ ବୃଦ୍ଧି ନ କରିବାକୁ କୁହାଯାଇଛି।

ଏହାଛଡ଼ା ଏୟାରଲାଇନ୍ ଗୁଡ଼ିକୁ ଭୁବନେଶ୍ୱରରୁ ଚଳାଚଳ କରୁଥିବା ଫ୍ଲାଇଟ୍ ପାଇଁ ଟିକେଟ୍ କ୍ୟାନ୍ସେଲେସନ ଓ ରି-ସିଡ୍ୟୁଲିଂ ନେଇ କୌଣସି ଚାର୍ଜ ନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଟ୍ରେନ୍ ଦୁର୍ଘଟଣା ପରେ ପ୍ରାୟ ୯୦ଟି ଟ୍ରେନ୍ ବାତିଲ ହୋଇଥିବାବେଳେ ୪୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି। ଏହାଛଡ଼ା ୧୧ଟି ଟ୍ରେନ୍ ଗନ୍ତବ୍ୟ ସ୍ଥଳ ପୂର୍ବରୁ ଅଟକି ଯାଇଛି | ଦୁର୍ଘଟଣା ଯୋଗୁଁ ପ୍ରଭାବିତ ହୋଇଥିବା ଅଧିକାଂଶ ଟ୍ରେନ୍ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ରେଲୱେ ଜୋନର ।