ମାଣ୍ଡିଆ ଦିବସ ଉପଲକ୍ଷେ ଗଡିଲା ପୁଷ୍ଟିଶସ୍ୟ ସଚେତନତା ରଥ | News Room Odisha

ମାଣ୍ଡିଆ ଦିବସ ଉପଲକ୍ଷେ ଗଡିଲା ପୁଷ୍ଟିଶସ୍ୟ ସଚେତନତା ରଥ

କେନ୍ଦୁଝର: ମାଣ୍ଡିଆ ସଂସ୍କୃତିର ପ୍ରାଧାନ୍ୟ ଯୋଗୁଁ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଆସିଛି। ପୁଷ୍ଟିଶସ୍ୟର ପ୍ରସାରକୁ ରାଜ୍ଯ ସରକାର ମଧ୍ଯ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ମାର୍ଗଶିର ମାସ ପ୍ରଥମ ଗୁରୁବାର ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଛନ୍ତି। ଏଥିପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପୁଷ୍ଟିଶସ୍ୟ ରଥ ବାହାରିଛି। ଜିଲ୍ଲାପାଳ ଆଶିଷ ଠାକରେ ୭ଟି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।

ମିଲେଟ ମିଶନ, ଡିଏମ୍ଏଫ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାଣ୍ଡିଆ ସଂସ୍କୃତିକୁ ଅଧିକ ବ୍ୟାପକ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି।

ଏହି ରଥ ଜିଲ୍ଲାର ସମସ୍ତ ବ୍ଲକରେ ପୁଷ୍ଟିଶସ୍ୟ ଓ ମାଣ୍ଡିଆ ଦିବସର ତାତ୍ପର୍ଯ୍ୟ ଉପରେ ଲୋକଙ୍କୁ ସଚେତନ କରାଇବ। ବିଶେଷ କରି ମାଣ୍ଡିଆର ଘରୋଇ ବ୍ୟବହାର ଦ୍ବାରା ସ୍ବାସ୍ଥ୍ୟ କ୍ଷେତ୍ରରେ ମିଳୁଥିବା ଉପକାରିତା ନେଇ ଲୋକଙ୍କୁ ଅବଗତ କରାଇବ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ମିଲେଟ ମିଶନର ଅଧିକାରୀ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ଯ ଯେ, ଏହି ରଥ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବୁଲିବା ପରେ ସେହିଦିନ ସଂସ୍କୃତି ଭବନରେ ମାଣ୍ଡିଆ ଦିବସ ପାଳନ କରାଯିବ ବୋଲି ମାଣ୍ଡିଆ ମିଶନ ପକ୍ଷରୁ ସୂଚନା ଦିଆଯାଇଛି।