ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡକାଟ କଲେ ୧୦ କୋଟି ପୁରସ୍କାର ଦେବାକୁ ଅଯୋଧ୍ୟା ସନ୍ଥଙ୍କ ଘୋଷଣା | News Room Odisha

ଉଦୟନିଧି ଷ୍ଟାଲିନଙ୍କ ମୁଣ୍ଡକାଟ କଲେ ୧୦ କୋଟି ପୁରସ୍କାର ଦେବାକୁ ଅଯୋଧ୍ୟା ସନ୍ଥଙ୍କ ଘୋଷଣା

ନୂଆଦିଲ୍ଲୀ: ସନାତନ ଧର୍ମକୁ ବିଲୋପ କରିବାକୁ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ବିବାଦ ତେଜିବାରେ ଲାଗିଛି । ଏବେ ଅଯୋଧ୍ୟାର ଜଣେ ସନ୍ଥ ପରମହଂସ ଆଚାର୍ଯ୍ୟ ଉଦୟନିଧିଙ୍କ ବୟାନ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ତାଙ୍କ ମୁଣ୍ଡକାଟ କରିବାକୁ କହିଛନ୍ତି । ଯିଏ ଉଦୟନିଧିଙ୍କ ମୁଣ୍ଡ କାଟି ଆଣିବ ତାଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ସନ୍ଥ ପରମହଂସ ଆଚାର୍ଯ୍ୟ ଘୋଷଣା କରିଛନ୍ତି । ସେ ଏହି ଘୋଷଣା କଲାବେଳେ ଉଦୟନିଧିଙ୍କ ପୋଷ୍ଟର ଉପରେ ଖଣ୍ଡା ବୁଲାଇଥିଲେ ।

ବିବାଦ ସତ୍ତ୍ୱେ ଉଦୟନିଧି ତାଙ୍କ ବୟାନରେ ଅଟଳ ରହିଛନ୍ତି। ସେ ପୁଣି ସନାତନ ଧର୍ମର ଅନ୍ତ ଘଟାଇବା କଥା ଦୋହରାଇଛନ୍ତି । ଚେନ୍ନାଇରେ ସାମ୍ବାଦିକମାନଙ୍କୁ ଉଦୟନିଧି କହିଛନ୍ତି – ଲୋକମାନେ ଅଯଥାରେ ମୋ ବୟାନକୁ ନରସଂହାର ସହ ଯୋଡ଼ୁଛନ୍ତି ।

ସନାତନ ଧର୍ମର ମୂଳପୋଛ ବୟାନ ପାଇଁ ବିହାରର ମୁଜାଫରପୁରରେ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୁଧୀର କୁମାର ଓଜା ନାମକ ଜଣେ ଓକିଲ ମୁଜାଫରପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଷ୍ଟାଲିନଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ସେପ୍ଟେମ୍ବର ୧୪ରେ ଏହାର ଶୁଣାଣି ହେବ | ଏହା ପୂର୍ବରୁ ଦିଲ୍ଲୀ ପୋଲିସରେ ମଧ୍ୟ ଜଣେ ଓକିଲ ଉଦୟନିଧିଙ୍କ ବିରୋଧରେ ଏତଲା ଦେଇଥିଲେ ।

ସେପ୍ଟେମ୍ବର ୨ରେ ଚେନ୍ନାଇରେ ଏକ ସନାତନ ବିଲୋପ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ
ସନାତନ ଧର୍ମକୁ ଡେଙ୍ଗୁ, ମାଲେରିଆ ଏବଂ କରୋନା ସହିତ ତୁଳନା କରି ଏହାକୁ ମୂଳୋତ୍ପାଟନ କରିବାକୁ ଆହ୍ବାନ ଦେଇଥିଲେ ।