ନବ ନିର୍ବାଚିତ କୁସ୍ତି ସଂଘ ସଭାପତି ସଞ୍ଜୟ ସିଂହଙ୍କୁ ବିରୋଧ, ପଦ୍ମଶ୍ରୀ ସମ୍ମାନ ଫେରାଇବେ ବଜରଙ୍ଗ ପୁନିଆ | News Room Odisha

ନବ ନିର୍ବାଚିତ କୁସ୍ତି ସଂଘ ସଭାପତି ସଞ୍ଜୟ ସିଂହଙ୍କୁ ବିରୋଧ, ପଦ୍ମଶ୍ରୀ ସମ୍ମାନ ଫେରାଇବେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅନୁଗତ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘ‌ (ଡବ୍ଲୁଏଫ୍ଆଇ)ର ନୂଆ ସଭାପତି ହେବା ପରେ ବିବାଦ ତେଜିବାରେ ଲାଗିଛି । କୁସ୍ତି ସଂଘ ସଭାପତି ଭାବେ ସଞ୍ଜୟ ସିଂହଙ୍କ ନିର୍ବାଚନ ପ୍ରତିବାଦରେ ଅଲିମ୍ପିକ୍ସ ପଦକ ବିଜୟିନୀ ସାକ୍ଷୀ ମଲିକ ଗତକାଲି କୁସ୍ତି ଛାଡ଼ିବା ପରେ ଆଉ ଜଣେ ଷ୍ଟାର୍ ରେସଲର ବଜରଙ୍ଗ ପୁନିଆ ଶୁକ୍ରବାର ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଛନ୍ତି।

ବଜରଙ୍ଗ ପୁନିଆ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି । ଏହା ମାଧ୍ୟମରେ ସେ ତାଙ୍କ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ଘୋଷଣା କରିଛନ୍ତି।

ବଜରଙ୍ଗ ପୁନିଆ ପିଏମ ମୋଦୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି । ସେ ଏଥିରେ କହିଛନ୍ତି, ଆପଣ (ମୋଦୀ) ହୁଏତ ଦେଶର ସେବା କରିବାରେ ବ୍ୟସ୍ତ ଥିବେ, କିନ୍ତୁ ମୁଁ କୁସ୍ତି ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଏହି ଚିଠିରେ ପୁରା ଘଟଣା ବିଷୟରେ ଉଲ୍ଲେଖ କରି ବଜରଙ୍ଗ ଲେଖିଛନ୍ତି, ଯୌନ ନିର୍ଯାତନା ଅଭିଯୁକ୍ତ ବ୍ରିଜ ଭୂଷଣ ସିଂହ ପୁଣି ଥରେ ଭାରତୀୟ କୁସ୍ତି ସଂଘକୁ କବଜା କରିଛନ୍ତି। ଏହି ପଦରେ ତାଙ୍କ ନିକଟତମ ବ୍ୟକ୍ତି ବସିବା ମୋତେ ଆଘାତ ଦେଇଛି |

ସେ ଲେଖିଛନ୍ତି, ମୁଁ ଦେଶ ପାଇଁ ପଦକ ଜିତିଛି ଏବଂ ଦେଶରୁ ଅନେକ ସମ୍ମାନ ପାଇଛି, ଯେଉଁଥିରେ ମୋତେ ୨୦୧୯ରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାଛଡ଼ା ମୋତେ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା, କିନ୍ତୁ ଏହି ଘଟଣାକ୍ରମ ପରେ ମୁଁ ମୋର ସମ୍ମାନ ଫେରାଇବାକୁ ନିଷ୍ପତ୍ତି ନେଇଛି | ମହିଳା କୁସ୍ତି ଖେଳାଳିଙ୍କୁ ଅପମାନିତ କରିବା ପରେ ମୁଁ ସମ୍ମାନର ସହ ବଞ୍ଚିପାରିବି ନାହିଁ । ଯଦି ମୁଁ ଏପରି କରେ, ତେବେ ମୋର ଆତ୍ମା ମୋତେ ଧିକ୍କାର କରିବ | ଏପରି ସ୍ଥିତିରେ ମୁଁ ଆପଣଙ୍କୁ ମୋର ସମ୍ମାନ ଫେରାଉଛି |”