ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର ସହଜ ବିଜୟ | News Room Odisha

ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର ସହଜ ବିଜୟ

ଧର୍ମଶାଳା: ଦିନିକିଆ ବିଶ୍ୱକପ ୨୦୨୩ର ତୃତୀୟ ମ୍ୟାଚରେ ବାଂଲାଦେଶ ୬ ୱିକେଟରେ ଆଫଗାନିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ (ଏଚପିସିଏ)ରେ ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ଭଲ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିୟମିତ ଓ୍ବିକେଟ୍ ହରାଇଥିଲା । ଦଳ ୩୭.୨ ଓଭରରେ ମାତ୍ର ୧୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।‌ ଦଳ ପକ୍ଷରୁ ଓପନର୍ ରହମାନୁଲ୍ଲା ଗୁର୍ବାଜ୍ ୬୨ ବଲରେ ସର୍ବାଧିକ ୪୭ ରନର ଇନିଂସ ଖେଳିଥିଲେ। ଆଜମତୁଲ୍ଲା ଓମାରଜାଇ ଓ ଇବ୍ରାହିମ ଜାଦ୍ରାନ୍ ୨୨-୨୨ ରନ୍ କରିଥିଲେ।

ବାଂଲାଦେଶ ତରଫରୁ କ୍ୟାପଟେନ୍ ଶାକିବ ଅଲ ହସନ ଏବଂ ମେହେଦି ହସନ ମିରାଜ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଶୋରିଫୁଲ ଇସଲାମ ଦୁଇଟି ୱିକେଟ୍ ନେଇଥିବା ବେଳେ ମୁସ୍ତାଫିଜୁର ରହମାନ ଓ ତସ୍କିନ୍ ଅହମ୍ମଦ ଗୋଟିଏ ଲେଖାଏଁ ସଫଳତା ପାଇଲେ।

୧୫୭ ରନ୍ ବିଜୟ ଲକ୍ଷ୍ୟକୁ ବାଂଲାଦେଶ ୩୪.୪ ଓଭରରେ ଚାରିଟି ୱିକେଟ୍ ହରାଇ ଅନାୟସରେ ହାସଲ କରିନେଇଥିଲା । ବାଂଲାଦେଶ ତରଫରୁ ନାଜମୁଲ ହୁସେନ୍ ଶାନ୍ତୋ ଓ ମେହେଦି ହସନ ମିରାଜ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

ଶାନ୍ତୋ ୮୩ଟି ବଲରେ ୩ଟି ଚୈକା ଓ ଗୋଟିଏ ଛକା ସହ ୫୯ ରନର ଇନିଂସ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ମିରାଜ ତାଙ୍କ ଦିନିକିଆ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ମିରାଜ ୫ଟି ଚୌକା ସହାୟତାରେ ୭୩ ବଲରୁ ୫୭ ରନ କରିଥିଲେ ।