କୋହଲିଙ୍କ ବିରୋଧରେ 'ଫେକ୍ ଫିଲ୍ଡିଂ' ଅଭିଯୋଗ ଆଣିଲେ ବାଂଲାଦେଶ ଖେଳାଳି ନୁରୁଲ ହସନ୍ | News Room Odisha

କୋହଲିଙ୍କ ବିରୋଧରେ ‘ଫେକ୍ ଫିଲ୍ଡିଂ’ ଅଭିଯୋଗ ଆଣିଲେ ବାଂଲାଦେଶ ଖେଳାଳି ନୁରୁଲ ହସନ୍

ଆଡିଲେଡ୍: ବାଂଲାଦେଶର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନୁରୁଲ ହସନ୍ ଭାରତର ଚାମ୍ପିୟନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ‘ଫେକ୍ ଫିଲ୍ଡିଂ’ ଅଭିଯୋଗ ଆଣିଛନ୍ତି । କୋହଲିଙ୍କ ଏହି ଫେକ୍ ଫିଲ୍ଡିଂକୁ ଅମ୍ପାୟାରମାନେ ଦେଖିପାରି ନଥିଲେ । ଯାହା ଦ୍ଵାରା ତାଙ୍କ ଦଳ ଟି-୨୦ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସମ୍ଭାବ୍ୟ ୫ ପେନାଲ୍ଟି ରନରୁ ବଞ୍ଚିତ ହୋଇଥିଲା ବୋଲି ସେ କହିଛନ୍ତି ।

ବୁଧବାର ଆଡିଲେଡରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ୍ ହରାଇ ୧୮୪ ରନ୍ କରିଥିଲା । ତେବେ ବର୍ଷା ଯୋଗୁଁ ଡକଓ୍ବର୍ଥ-ଲୁଇସ୍ ନିୟମାନୁସାରେ ବାଂଲାଦେଶ ଆଗରେ ୧୬ ଓଭରରେ ୧୫୧ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହାର ଜବାବରେ ବାଂଲାଦେଶ ୬ ୱିକେଟ ହରାଇ ୧୪୫ ରନ୍ କରିବାକୁ ସମର୍ଥ ହୋଇଥିଲା ଏବଂ ୫ ରନରେ ମ୍ୟାଚ୍ ହାରିଯାଇଥିଲା ।

ବାଂଲାଦେଶ କ୍ୟାପଟେନ ଶକିବ ଅଲ ହସନ ପରାଜୟ ସ୍ୱୀକାର କରିଛନ୍ତି । କିନ୍ତୁ ଅର୍ଶଦୀପ ସିଂଙ୍କ ଶେଷ ଓଭରରେ ଗୋଟିଏ ଚୌକା ଓ ଚକା ମାରି ମ୍ୟାଚର ରୋମାଞ୍ଚ ବଢ଼ାଇ ଦେଇଥିବା ନୁରୁଲ ହସନ୍ ନିଜ ଦଳର ପରାଜୟ ପରେ ଫିଲ୍ଡ ଅମ୍ପାୟାରଙ୍କୁ ସମାଲୋଚନା କରିଛନ୍ତି।

ନୁରୁଲ ହସନ କହିଛନ୍ତି, ବର୍ଷା ଯୋଗୁଁ ଓଦା ଆଉଟଫିଲ୍ଡ ମ୍ୟାଚ୍ ଫଳାଫଳ ଉପରେ ପ୍ରଭାବ ପକାଇଥିଲା । ଏକ ନକଲି ଥ୍ରୋ ମଧ୍ୟ ହୋଇଥିଲା, ଯେଉଁଥିରୁ ଆମକୁ ପାଞ୍ଚ ରନ୍ ମିଳିବାର ଥିଲା କିନ୍ତୁ ଆମେ ତାହା ପାଇନଥିଲୁ |

ନୁରୁଲ୍ ବାଂଲାଦେଶ ଇନିଂସର ସପ୍ତମ ଓଭରର ଘଟଣା ବିଷୟରେ କହୁଥିଲେ। ଭିଡିଓ ରେକର୍ଡିଂରେ ଦେଖାଯାଇଥିଲା ଯେ ଅର୍ଶଦୀପ ବଲକୁ ଡିପ୍ କଭର ଅଞ୍ଚଳରୁ ଥ୍ରୋ କରିଥିଲେ । ସେତେବେଳେ କୋହଲି ପଏଣ୍ଟ ଅଞ୍ଚଳରେ ଠିଆ ହୋଇ ରିଲେ ଥ୍ରୋ’ରୁ ଅନ୍ୟପଟେ ବଲ୍ ଫିଙ୍ଗିବା ଭଳି ଆକ୍ସନ୍ କରିଥିଲେ ବୋଲି ନୁରୁଲ ବୋଲି ଅଭିଯୋଗ କରିଛନ୍ତି ।

ତେବେ ଉଭୟ ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ ଏବଂ ନଜମୁଲ ହୁସେନ୍ ଶାନ୍ତୋ ସେତେବେଳେ କୋହଲିଙ୍କ ଆଡ଼କୁ ଦେଖିନଥିଲେ । ତେଣୁ ନୁରୁଲଙ୍କ ଅଭିଯୋଗ ଉପରେ ପ୍ରଶ୍ନ ଉଠୁଛି।

ଆଇସିସି ଆଚରଣ ସଂହିତାର ସହ ଧାରା ୪୧.୫ ଅନୁଯାୟୀ ଫିଲ୍ଡିଂ ଦଳ ଉଦ୍ଦେଶ୍ୟମୂଳକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ବାଧା ସୃଷ୍ଟି କରିପାରିବ ନାହିଁ। ଯଦି ଅମ୍ପାୟାର ଅନୁଭବ କରନ୍ତି ଯେ ଜଣେ ଖେଳାଳି ନିୟମ ଭାଙ୍ଗିଛନ୍ତି, ତେବେ ସେ ଡେଡ୍ ବଲ ଘୋଷଣା କରିବେ କିମ୍ବା ପାଞ୍ଚ ରନ୍ ପେନାଲ୍ଟି ଦେଇପାରନ୍ତି ।

ଯେହେତୁ ଶାନ୍ତୋ ଏବଂ ଲିଟନ୍ କୋହଲିଙ୍କୁ ଦେଖିନଥିଲେ, ତେଣୁ କୋହଲି ସେମାନଙ୍କ ଧ୍ୟାନ ହଟାଇବାର ପ୍ରଶ୍ନ ଉଠୁନାହିଁ | ଏଭଳି ସ୍ଥଳେ ମ୍ୟାଚ୍ ଅଧିକାରୀଙ୍କୁ ସମାଲୋଚନା କରିଥିବାରୁ ନୁରୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭାବନା ରହିଛି।