ନିର୍ବାଚନୀ ବଣ୍ଡ୍ ମାମଲାରେ ଅଧିକ ସମୟ ମାଗିବା ନେଇ ଏସବିଆଇକୁ ବ୍ୟାଙ୍କ ୟୁନିୟନର ସମାଲୋଚନା | News Room Odisha

ନିର୍ବାଚନୀ ବଣ୍ଡ୍ ମାମଲାରେ ଅଧିକ ସମୟ ମାଗିବା ନେଇ ଏସବିଆଇକୁ ବ୍ୟାଙ୍କ ୟୁନିୟନର ସମାଲୋଚନା

ମୁମ୍ବାଇ: ବିରୋଧୀ ଦଳଙ୍କ ପରେ ବର୍ତ୍ତମାନ ଏକ ଜାତୀୟ ବ୍ୟାଙ୍କ ୟୁନିୟନ ନିର୍ବାଚନୀ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିବା ନେଇ ଷ୍ଟେଟ ବ୍ୟାଙ୍କ (ଏସବିଆଇ)କୁ ସମାଲୋଚନା କରିଛି । ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ଏଥିସହ ରାଜନୈତିକ ଦଳ ଗୁଡ଼ିକୁ ନିର୍ବାଚନୀ ବଣ୍ଡ୍ ଜରିଆରେ ଯେଉଁ ବ୍ୟକ୍ତିମାନେ ଚାନ୍ଦା ଦେଇଛନ୍ତି ସେ ସମ୍ପର୍କିତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଏଥିପାଇଁ ଜୁନ୍ ୩୦ ଯାଏଁ ସମୟ ମାଗିଛି ଏସବିଆଇ।

‘ବ୍ୟାଙ୍କ ଏମ୍ପ୍ଲୋଇଜ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ବିଇଏଫ୍ଆଇ)’ ନାମକ ବ୍ୟାଙ୍କ ୟୁନିୟନ ନିର୍ବାଚନୀ ବଣ୍ଡ୍ ମାମଲାରେ ଅଧିକ ସମୟ ମାଗିବା ପାଇଁ ଷ୍ଟେଟ୍ ବ୍ୟାଙ୍କଙ୍କୁ ଭର୍ତ୍ସନା କରିଛି । ଏହାର ସାଧାରଣ ସମ୍ପାଦକ ହରି ରାଓ ଏକ ବିବୃତ୍ତିରେ କହିଛନ୍ତି, ବ୍ୟାଙ୍କଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି ।‌ ଆମେ ଏହାକୁ ବିରୋଧ କରୁଛୁ।

ରାଓ କହିଛନ୍ତି, “ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ଏସବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ବିବରଣୀ ସାର୍ବଜନୀନ କରିବା ଉଚିତ । କାରଣ ବିଳମ୍ବିତ ନ୍ୟାୟ ଅନ୍ୟାୟ ସହ ସମାନ ।
ରାଓ କହିଛନ୍ତି, କିଛି ତଥ୍ୟ କାଗଜ ରୂପରେ ସଂଗୃହିତ କରାଯାଇ ସିଲ୍ କଭରରେ ରଖାଯାଉଛି ବୋଲି ଏସବିଆଇର ଯୁକ୍ତି ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି, ବିଶେଷ କରି ଡିଜିଟାଲ୍ ଯୁଗରେ ପୁଣି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ। କାରଣ ଆଜିକାଲି ଅଧିକାଂଶ ସୂଚନା ମାଉସ୍ ର ଗୋଟିଏ କ୍ଲିକରେ ମିଳିଥାଏ ।

ଷ୍ଟେଟ ବ୍ୟାଙ୍କ ସୋମବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରି ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳଙ୍କୁ ମିଳିଥିବା ଚାନ୍ଦା ସମ୍ପର୍କରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ମାଗିଥିଲା ।

ଏସବିଆଇର ଏହି ଆବେଦନ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଜେପିକୁ ଟାର୍ଗେଟ୍ କରିଥିଲେ । ଖଡ଼ଗେ କହିଥିଲେ ଯେ ନିର୍ବାଚନୀ ବଣ୍ଡ୍ ଯୋଜନାରେ ବିଜେପିର ଆଭିମୁଖ୍ୟ ଆଦୌ ଗଣତାନ୍ତ୍ରିକ ନୁହେଁ। ଏଥିରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ନାହିଁ | ସେ କହିଥିଲେ, “ନରେନ୍ଦ୍ର ମୋଦୀ ସରକାର ନିର୍ବାଚନୀ ବଣ୍ଡ୍ ଜରିଆରେ ନିଜର ସନ୍ଦେହଜନକ କାରବାରକୁ ଲୁଚାଇବା ପାଇଁ ଦେଶର ବୃହତ୍ତମ ବ୍ୟାଙ୍କକୁ ଢାଲ ଭାବେ ବ୍ୟବହାର କରୁଛନ୍ତି ।

କଂଗ୍ରେସ ଦାବି କରିଛି, ୨୦୧୭ରେ ନିର୍ବାଚନୀ ବଣ୍ଡ୍ ଯୋଜନା ଆରମ୍ଭ ହେବା ପରଠାରୁ ସମସ୍ତ ରାଜନୈତିକ ଦଳ ଗତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୨,୦୦୦ କୋଟିରୁ ଅଧିକ ଟଙ୍କା ଚାନ୍ଦା ପାଇଛନ୍ତି । ଏଥିମଧ୍ୟରୁ କେବଳ ବିଜେପି ହିଁ ୬୫୬୬.୧୧ କୋଟି ଟଙ୍କା ପାଇଛି, ଯାହା ମୋଟ ନିର୍ବାଚନୀ ବଣ୍ଡର ୫୫ ପ୍ରତିଶତ । ଅନ୍ୟପକ୍ଷରେ କଂଗ୍ରେସ ସମୁଦାୟ ରାଶିର ୯ ପ୍ରତିଶତ ଅର୍ଥାତ୍ ୧୧୨୩.୨୯ କୋଟି ଟଙ୍କା ପାଇଛି |

ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ରଦ୍ଦ କରି ସରକାରଙ୍କୁ ଏକ ବଡ଼ ଝଟକା ଦେଇଥିଲେ। ଏହା ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ତଥା ସୂଚନା ଅଧିକାରର ସାମ୍ବିଧାନିକ ଅଧିକାରକ ଉଲ୍ଲଂଘନ କରୁଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଥିଲେ ।

ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ସମୟସୀମା ବଢ଼ାଇବା ପାଇଁ ଏସବିଆଇର ଆବେଦନ ଉପରେ ସୁପ୍ରିମକୋର୍ଟ ଏଯାବତ୍ ଶୁଣାଣି କରିନାହାଁନ୍ତି।