ବାର୍ଟି ଜିତିଲେ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍, ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ | News Room Odisha

ବାର୍ଟି ଜିତିଲେ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍, ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ

ମେଲବୋର୍ଣ୍ଣ: ଆଶ୍ଲେ ବାର୍ଟି ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି । ଶନିବାର ଖେଳାଯାଇଥିବା ଫାଇନାଲରେ ସେ ଡାନିଏଲ୍ କଲିନ୍ସଙ୍କୁ ୬-୩, ୭-୬ (୨) ରେ ପରାସ୍ତ କରି ୪୪ ବର୍ଷର ମରୁଡ଼ି ଭାଙ୍ଗିଛନ୍ତି । କୌଣସି ଅଷ୍ଟ୍ରେଲୀୟ ମହିଳା ଖେଳାଳି ୪୪ ବର୍ଷ ଧରି ଏହି ଗ୍ରାଣ୍ଡସ୍ଲାମ ଜିତି ନଥିଲେ । ବାର୍ଟି ପ୍ରଥମ ସେଟ୍ ଏକ ସର୍ଭ ବ୍ରେକ୍ ସହ ଜିତିଥିଲେ । ଏହା ପରେ କଲିନ୍ସ ଲଢୁଆ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଦ୍ୱିତୀୟ ସେଟରେ ୫-୧ରେ ଆଗୁଆ ହୋଇଥିଲେ। ବାର୍ଟି ଦ୍ୱିତୀୟ ଏବଂ ଷଷ୍ଠ ସର୍ଭ ହରାଇ ଥିଲେ । ସେଟ୍ ଜିତିବା ପାଇଁ କିନ୍ତୁ କଲିନ୍ସଙ୍କୁ ଦୁଇଟି ସୁଯୋଗ ମିଳିଥିଲା । ହେଲେ ଉଭୟ ସୁଯୋଗକୁ ସେ ହାତଛଡ଼ା କରିଥିଲେ ।

ଶେଷରେ ଦ୍ବିତୀୟ ସେଟ୍ ଟାଇବ୍ରେକରରେ ପହଞ୍ଚିଥିଲା । ଟାଇବ୍ରେକରରେ ବାର୍ଟି ଶୀଘ୍ର ୪-୦ ଅଗ୍ରଣୀ ହାସଲ କରିଥିଲେ । ୧୯୮୦ ପରଠାରୁ ବାର୍ଟି ଅଷ୍ଟ୍ରେଲୀୟ ଓପନର ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଅଷ୍ଟ୍ରେଲୀୟ ଥିଲେ । ଏବଂ ଏବେ ୧୯୭୮ ମସିହାରେ କ୍ରିସ୍ ଓ’ନିଲଙ୍କ ପରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଟାଇଟଲ୍ ଜିତିଛନ୍ତି ।

୨୫ ବର୍ଷୀୟ ବାର୍ଟିଙ୍କ ନାମରେ ବର୍ତ୍ତମାନ ତିନୋଟି ଗ୍ରାଣ୍ଡ୍ ସ୍ଲାମ୍ ଅଛି । ବର୍ତ୍ତମାନ ସେ ହାର୍ଡ କୋର୍ଟରେ ମଧ୍ୟ ଟାଇଟଲ୍ ଜିତିଛନ୍ତି । ଗତ ବର୍ଷ ଏହା ପୂର୍ବରୁ ସେ ଗ୍ରାସ୍ କୋର୍ଟରେ ୱିମ୍ବଲଡନ୍ ଜିତିଥିଲେ ଏବଂ ୨୦୧୯ ରେ କ୍ଲେ କୋର୍ଟରେ ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଥିଲେ ।