ପ୍ରଶଂସକଙ୍କ ଅସନ୍ତୋଷ ପରେ ନିଷ୍ପତ୍ତି ଵଦଳାଇଲା ବିସିସିଆଇ, କୋହଲିଙ୍କ ୧୦୦ ତମ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି | News Room Odisha

ପ୍ରଶଂସକଙ୍କ ଅସନ୍ତୋଷ ପରେ ନିଷ୍ପତ୍ତି ଵଦଳାଇଲା ବିସିସିଆଇ, କୋହଲିଙ୍କ ୧୦୦ ତମ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି

ମୁମ୍ବାଇ: ମାର୍ଚ୍ଚ ୪ ରୁ ମୋହାଲିର ପିସିଏ ଷ୍ଟାଡିୟମରେ ଆରମ୍ଭ ହେଉଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ବିସିସିଆଇ କହିଛି। ଏହା ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ହେବ।

ସଚିନ ତେନ୍ଦୁଲକର (୨୦୦), ରାହୁଲ ଦ୍ରାବିଡ (୧୬୩), ଭିଭିଏସ୍ ଲକ୍ଷ୍ମଣ (୧୩୪), ଅନିଲ କୁମ୍ବଲେ (୧୩୨), କପିଳ ଦେବ (୧୩୧), ସୁନୀଲ ଗାଭାସ୍କର (୧୨୫), ଦିଲୀପ ଭେଙ୍ଗସରକର (୧୧୬), ସୌରଭ ଗାଙ୍ଗୁଲି (୧୧୩), ଇଶାନ୍ତ ଶର୍ମା (୧୦୫), ହରଭଜନ ସିଂ (୧୦୩) ଏବଂ ବୀରେନ୍ଦ୍ର ସେହୱାଗ (୧୦୩) ଙ୍କ ପରେ କୋହଲି ଦ୍ୱାଦଶ ଭାରତୀୟ ଭାବେ ୧୦୦ଟି ଟେଷ୍ଟ ଖେଳିବେ।

ବିସିସିଆଇର ନିଷ୍ପତ୍ତି ସେହି ଦର୍ଶକଙ୍କ ପାଇଁ ଖୁସି ଖବର, ଯେଉଁମାନେ ଷ୍ଟାଣ୍ଡରୁ କୋହଲିଙ୍କ ୧୦୦ତମ ଟେଷ୍ଟ ଦେଖିବାର ସୁଯୋଗ ପାଇବେ | ମୋହାଲିରେ କରୋନାର ନୂଆ ମାମଲା ଦୃଷ୍ଟିରୁ କୋହଲିଙ୍କ ଏହି ମାଇଲଖୁଣ୍ଟ ଟେଷ୍ଟ ମ୍ୟାଚ ବିନା ଦର୍ଶକରେ ହେବ ବୋଲି ବିସିସିଆଇ ପ୍ରଥମେ ନିଷ୍ପତ୍ତି ନେଇଥିଲା । ହେଲେ ଏନେଇ କିଛି ପ୍ରଶଂସକ ସୋସିଆଲ ମିଡିଆରେ ନିରାଶା ପ୍ରକାଶ କରିଥିଲେ | ଉଲ୍ଲେଖଯୋଗ୍ୟ, ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ (ପିସିଏ) ମଧ୍ୟ ଗତ ସପ୍ତାହରେ ସ୍ପଷ୍ଟ କରିଥିଲା ଯେ କୋଭିଡ-୧୯ର ନୂଆ ମାମଲାରେ ବୃଦ୍ଧି ଯୋଗୁଁ ମୋହାଲିରେ ପ୍ରଥମ ଟେଷ୍ଟ ଦର୍ଶକଙ୍କ ବିନା ଖେଳାଯିବ | ପ୍ରଶଂସକଙ୍କ ଅସନ୍ତୋଷକୁ ଦେଖି ଭାରତୀୟ ବୋର୍ଡ ଏହି ନିଷ୍ପତ୍ତି ଏବେ ବଦଳାଇଛି ।

ପିସିଏ କୋଷାଧ୍ୟକ୍ଷ ଆରପି ସିଙ୍ଗଲା କହିଛନ୍ତି, “ମାର୍ଚ୍ଚ ୪ ରୁ ମୋହାଲିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବାକୁ ଆମେ ବିସିସିଆଇରୁ ନିର୍ଦ୍ଦେଶ ପାଇଛୁ। ବୁଧବାର ଠାରୁ ଅନ୍ ଲାଇନରେ ଟିକେଟ୍ ବିକ୍ରି କରିବାକୁ ଅନୁମତି ଦେବୁ | ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମର ଟିକେଟ୍ କାଉଣ୍ଟରରେ ପ୍ରଶଂସକମାନେ ଭିଡ଼ ରହିବ । ଏଥିପାଇଁ ପିସିଏ ସମସ୍ତ କୋଭିଡ-୧୯ ଗାଇଡ ଲାଇନ୍ ଯେଭଳି ପାଳନ କରାଯିବ ତାହା ନିଶ୍ଚିତ କରିବ |