ଧୋନିଙ୍କ ଜର୍ସି ନମ୍ବର ୭କୁ ଅବସର ଦେଲା ବିସିସିଆଇ | News Room Odisha

ଧୋନିଙ୍କ ଜର୍ସି ନମ୍ବର ୭କୁ ଅବସର ଦେଲା ବିସିସିଆଇ

ନୂଆଦିଲ୍ଲୀ: ଆଉ କେହି ଭାରତୀୟ କ୍ରିକେଟର୍ ଜର୍ସି ନମ୍ବର ୭ ପିନ୍ଧିବେ ନାହିଁ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ମାନ ଜଣାଇ ତାଙ୍କର ଏହି ଆଇକନିକ ଜର୍ସିକୁ ବିସିସିଆଇ ଅବସର ଦେବାକୁ ନିଷ୍ପତ୍ତି ନେଇଛି। ଏହି କିମ୍ବଦନ୍ତୀ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

ମହେନ୍ଦ୍ର ସିଂ ଧୋନିଙ୍କ ପୂର୍ବରୁ କେବଳ ଜଣେ ଖେଳାଳିଙ୍କ ଜର୍ସିକୁ ଅବସର ଦେଇଥିଲା ଭାରତୀୟ ବୋର୍ଡ । ୨୦୧୭ ମସିହାରେ ମହାନ ବ୍ୟାଟ୍ସମ୍ୟାନ୍ ତଥା ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ଜର୍ସି ନମ୍ବର ୧୦କୁ ଅବସର ଦିଆଯାଇଥିଲା। ଧୋନି ଏବଂ ସଚିନଙ୍କ ଜର୍ସି ନମ୍ବର ବ୍ୟବହାର ନ କରିବାକୁ ବିସିସିଆଇ ମଧ୍ୟ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ କହିଛି ।

ଆଇସିସି ନିୟମ ଅନୁଯାୟୀ, ଖେଳାଳିମାନେ ୧ ରୁ ୧୦୦ ମଧ୍ୟରେ ଯେକୌଣସି ସଂଖ୍ୟାର ଜର୍ସି ପିନ୍ଧିପାରିବେ । କିନ୍ତୁ ଭାରତରେ ଏହି ନିୟମ ଭିନ୍ନ । ସମ୍ପ୍ରତି ଟିମ୍ ଇଣ୍ଡିଆର ଅନେକ ଖେଳାଳି ୧ ରୁ ୧୦୦ ମଧ୍ୟରେ ୬୦ଟି ନମ୍ବର ନିଜ ଜର୍ସିରେ ବ୍ୟବହାର କରୁଛନ୍ତି | ଏଭଳି ସ୍ଥିତିରେ ଯଦି ଜଣେ ଖେଳାଳି ଗୋଟିଏ କିମ୍ବା ତାଠାରୁ ଅଧିକ ବର୍ଷ ଦଳରୁ ବାହାରେ ରହିଥାନ୍ତି, ତେବେ ବି ତାଙ୍କ ଜର୍ସି ନମ୍ବର ଅନ୍ୟ କାହାକୁ ଦିଆଯାଇନଥାଏ | ଡେବ୍ୟୁ କରୁଥିବା ଖେଳାଳିଙ୍କୁ ଅବଶିଷ୍ଟ ନମ୍ବର ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିଥାଏ ।

ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲ ନିଜ ଅନ୍ତର୍ଜାତୀୟ ଡେବ୍ୟୁରେ ଜର୍ସି ନମ୍ବର ୧୯ ବ୍ୟବହାର କରିବାକୁ ଚାହୁଁଥିଲେ | ସେ ଏହି ଜର୍ସି ନମ୍ବର ସହ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ | ତେବେ ଏହି ନମ୍ବର ଥିବା ଜର୍ସି ଦୀନେଶ କାର୍ତ୍ତିକ ମଧ୍ୟ ବ୍ୟବହାର କରୁଛନ୍ତି। କାର୍ତ୍ତିକ ଏବେ ଦଳରେ ନଥିଲେ ମଧ୍ୟ ସେ ଅବସର ନେଇନାହାଁନ୍ତି। ଏହି କାରଣରୁ ଜୈସୱାଲଙ୍କୁ ୬୪ ନମ୍ବର ବ୍ୟବହାର କରିବାକୁ ପଡ଼ିଥିଲା ।