ନୂଆବର୍ଷରେ ଟିମ୍ ଇଣ୍ଡିଆର ହେବ ନବ କଳେବର‌ ! ପ୍ରତ୍ୟେକ ଫର୍ମାଟ୍ ପାଇଁ ଅଲଗା କ୍ୟାପଟେନ୍ ଯୋଜନାରେ ବିସିସିଆଇ | News Room Odisha

ନୂଆବର୍ଷରେ ଟିମ୍ ଇଣ୍ଡିଆର ହେବ ନବ କଳେବର‌ ! ପ୍ରତ୍ୟେକ ଫର୍ମାଟ୍ ପାଇଁ ଅଲଗା କ୍ୟାପଟେନ୍ ଯୋଜନାରେ ବିସିସିଆଇ

ନୂଆଦିଲ୍ଲୀ: ଗତ ୯ ବର୍ଷ ଧରି ଆଇସିସି ଟ୍ରଫିକୁ ଅପେକ୍ଷା କରିଥିବା ଟିମ୍ ଇଣ୍ଡିଆକୁ ନୂଆବର୍ଷରେ ନୂଆ ରୂପରେ ଦେଖିବାକୁ ମିଳିପାରେ । ବିସିସିଆଇ ବର୍ତ୍ତମାନ ପ୍ରତ୍ୟେକ ଫର୍ମାଟ୍ ପାଇଁ ଅଲଗା ଯୋଜନା ପ୍ରସ୍ତୁତ କରିବାକୁ ବିଚାର କରୁଛି । ଏଥିପାଇଁ ପ୍ରତ୍ୟେକ ଫର୍ମାଟ୍ ପାଇଁ ଦଳ ଓ କ୍ୟାପଟେନ୍ ଅଲଗା ରହିବେ ଏବଂ ରଣନୀତି ମଧ୍ୟ ଭିନ୍ନ ହେବ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ନୂଆ ବର୍ଷରେ ଏକ ନୂଆ ଚୟନ କମିଟି ମିଳିବ। ପ୍ରତ୍ୟେକ ଫର୍ମାଟ୍ ପାଇଁ ଟିମ୍ ଇଣ୍ଡିଆକୁ ପୁଣି ନୂଆକରି ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ନେବ ନୂଆ ଚୟନ କମିଟି । ଏଭଳି ସ୍ଥିତିରେ ଖୁବ ଶୀଘ୍ର ଟିମ୍ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ସମ୍ଭାବନା ରହିଛି । ଡିସେମ୍ବର ୨୧ରେ ବିସିସିଆଇର ଆପେକ୍ସ କାଉନସିଲ ବୈଠକ ଡ଼ାକିଥିବା ବେଳେ ଏଥିରେ କିଛି କଠୋର ନିଷ୍ପତ୍ତି ନିଆଯାଇପାରେ ।

ରିପୋର୍ଟରେ ଦାବି କରାଯାଇଛି ଯେ ବିସିସିଆଇ ପ୍ରତ୍ୟେକ ଫର୍ମାଟରେ ଅଲଗା ଅଧିନାୟକ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇପାରେ । ଏହାଛଡ଼ା ପ୍ରତ୍ୟେକ ଫର୍ମାଟ୍ ପାଇଁ ଏକ ପୃଥକ ପୁଲ୍ ମଧ୍ୟ ପ୍ରସ୍ତୁତ ହେବ।

ରୋହିତ ଶର୍ମା ସମ୍ପ୍ରତି ପ୍ରତ୍ୟେକ ଫର୍ମାଟରେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ । କିନ୍ତୁ ଫିଟନେସ୍ ଏବଂ କାର୍ଯ୍ୟଭାର ପରିଚାଳନା ଦୃଷ୍ଟିରୁ ସେ ବାରମ୍ବାର ବ୍ରେକ୍ ନେଉଛନ୍ତି। ଇତି ମଧ୍ୟରେ ସେ ଆହତ ହୋଇ ବାଂଲାଦେଶ ଗସ୍ତ ଅଧାରୁ ସ୍ବଦେଶ ଫେରିଛନ୍ତି । ଏଭଳି ସ୍ଥିତିରେ ନୂଆ ଚୟନ କମିଟି ଗଠନ କରାଗଲେ ରୋହିତ ଶର୍ମାଙ୍କ ଭୂମିକା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ଚର୍ଚ୍ଚା ହେଉଛି ।

ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଥିବା ବେଳେ ଏହି ଫର୍ମାଟରେ ତୁରନ୍ତ କୌଣସି ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ତେଣୁ ଟି-୨୦ ବିଶ୍ୱକପ ୨୦୨୪ ଓ ପରବର୍ତ୍ତୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ।

ଭାରତ ପ୍ରାୟ ଏକ ଦଶନ୍ଧି ଧରି ଆଇସିସି ଟ୍ରଫି ପାଇଁ ଅପେକ୍ଷା କରିଛି। ଶେଷ ଥର ପାଇଁ ଭାରତ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ୨୦୧୩ ମସିହାରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ତା’ ପରଠାରୁ ଭାରତ କୌଣସି ଆଇସିସି ଟ୍ରଫି ଜିତିପାରି ନାହିଁ । ଆଗାମୀ ସମୟରେ ଟିମ୍ ଇଣ୍ଡିଆକୁ ଦିନିକିଆ ବିଶ୍ୱକପ୍, ଟି-୨୦ ବିଶ୍ୱକପ୍ ଖେଳିବାକୁ ଥିବା ବେଳେ ଏହି ଲକ୍ଷ୍ୟ ହାସଲ କରିବା ଦଳର ପ୍ରାଥମିକତା ହେବ ।