ଦିନିକିଆରୁ ବେନ୍ ଷ୍ଟୋକ୍ସଙ୍କ ଅବସର | News Room Odisha

ଦିନିକିଆରୁ ବେନ୍ ଷ୍ଟୋକ୍ସଙ୍କ ଅବସର

ଲଣ୍ଡନ: ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସୋମବାର ଅବସର ଘୋଷଣା କରିଛନ୍ତି। ହୋମ୍ ଗ୍ରାଉଣ୍ଡ ଡରହମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମଙ୍ଗଳବାର ସେ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଖେଳିବେ ବୋଲି ଷ୍ଟୋକ୍ସ କହିଛନ୍ତି ।

ନିକଟରେ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ଷ୍ଟୋକ୍ସ ଏକ ସୋସିଆଲ ମିଡିଆ ପୋଷ୍ଟ ସହ ନିଜ ଅବସର ସୂଚନା ଦେଇଛନ୍ତି। ଷ୍ଟୋକ୍ସ କହିଛନ୍ତି ଯେ ଦିନିକିଆରୁ ଅବସର ନିଷ୍ପତ୍ତି ତାଙ୍କ ପକ୍ଷେ କଷ୍ଟକର ଥିଲା । ସାଥୀ ଖେଳାଳିଙ୍କ ସହ ସେ ପ୍ରତିଟି ମୁହୂର୍ତ୍ତ ଉପଭୋଗ କରିଛନ୍ତି । କିନ୍ତୁ ଏହି ଫର୍ମାଟରେ ସେ ଆଉ ଶତ ପ୍ରତିଶତ ଦେବା ପାଇଁ ସମର୍ଥ ନୁହଁନ୍ତି । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଦୃଷ୍ଟିରୁ ତାଙ୍କ ପକ୍ଷେ ସବୁ ଫର୍ମାଟ୍ ଖେଳିବା ସମ୍ଭବ ନୁହେଁ । ସେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଚାହୁଁଛନ୍ତି ବୋଲି ଷ୍ଟୋକ୍ସ କହିଛନ୍ତି । ତେବେ ସେ ଟେଷ୍ଟ ଏବଂ ଟି-୨୦ ଖେଳିବା ଜାରି ରଖିବେ ବୋଲି ଏହି ଷ୍ଟାର୍ ଖେଳାଳି କହିଛନ୍ତି।

୩୧ ବର୍ଷୀୟ ଷ୍ଟୋକ୍ସ ଏପର୍ଯ୍ୟନ୍ତ ୧୦୪ଟି ଦିନିକିଆ ଖେଳିଥିବା ବେଳେ ୨୯୧୯ ରନ୍ ସଂଗ୍ରହ କରିଛନ୍ତି | ସେ ଏହି ଫର୍ମାଟରେ ତିନୋଟି ଶତକ ଏବଂ ୨୧ ଅର୍ଦ୍ଧଶତକ ହାସଲ କରିଛନ୍ତି | ତାଙ୍କ ଆଭରେଜ ୩୯.୪୫ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ହେଉଛି ୯୫.୨୭ । ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୨ ରନ୍। ଏହାଛଡ଼ା ସେ ୭୪ ୱିକେଟ୍ ନେଇଛନ୍ତି।

ଲର୍ଡ୍ସରେ ନ୍ୟୁଜିଲାଣ୍ଡ ବିପକ୍ଷ ୨୦୧୯ ବିଶ୍ୱକପ ଫାଇନାଲରେ ଅପରାଜିତ ୮୪ ରନ୍ ସହ ଷ୍ଟୋକ୍ସ ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ଏହି ଲଢ଼ୁଆ ଇଂନିସ୍ ସହ ଷ୍ଟୋକ୍ସ ଫାଇନାଲ ମ୍ୟାଚକୁ ସୁପର ଓଭରକୁ ନେଇଥିଲେ ଏବଂ ଇଂଲଣ୍ଡକୁ ପ୍ରଥମ ଥର ଚାମ୍ପିଅନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୯ ବିଶ୍ୱକପରେ ଷ୍ଟୋକ୍ସ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।