ମାନହାନି ମାମଲାରେ ରାହୁଲ ଗାନ୍ଧୀ, ସିଦ୍ଧରମୈୟା ଓ ଶିବକୁମାରଙ୍କୁ ବେଙ୍ଗାଲୁରୁ କୋର୍ଟର ସମନ | News Room Odisha

ମାନହାନି ମାମଲାରେ ରାହୁଲ ଗାନ୍ଧୀ, ସିଦ୍ଧରମୈୟା ଓ ଶିବକୁମାରଙ୍କୁ ବେଙ୍ଗାଲୁରୁ କୋର୍ଟର ସମନ

ବେଙ୍ଗାଲୁରୁ: ଏକ ମାନହାନି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ କର୍ଣ୍ଣାଟକ କଂଗ୍ରେସ ପ୍ରଦେଶ କମିଟି (କେପିସିସି)କୁ ସମନ ଜାରି କରିଛନ୍ତି ।

ଆଇପିସିର ଧାରା ୪୯୯ (ମାନହାନି) ଏବଂ ଧାରା ୫୦୦ (ମାନହାନି ପାଇଁ ଦଣ୍ଡ) ଅନୁଯାୟୀ ଏହି ମାମଲାକୁ ଗ୍ରହଣ କରି ବେଙ୍ଗାଲୁରୁର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଏହାର ଶୁଣାଣି ପାଇଁ ଜୁଲାଇ ୨୭କୁ ଦିନ ଧାର୍ଯ୍ୟ କରିଛନ୍ତି ।

ପୂର୍ବତନ ତଥା ପଦାସୀନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାର ଶୁଣାଣି ପାଇଁ ଏହି ସ୍ୱତନ୍ତ୍ର ଅଦାଲତ ଗଠନ କରାଯାଇଛି।

ମେ ୯ରେ ରାଜ୍ୟ ବିଜେପିର ସମ୍ପାଦକ ଏସ୍ କେଶବପ୍ରସାଦ ଏହି ମାନହାନି ମାମଲା ଦାୟର କରିଥିଲେ। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ବିଜ୍ଞାପନରେ ମିଥ୍ୟା ଅଭିଯୋଗ ଯୋଗୁଁ ବିଜେପିର ଛବି ଖରାପ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ମେ ୫, ୨୦୦୩ରେ କେପିସିସି ପ୍ରମୁଖ ଖବରକାଗଜରେ ଏକ ବିଜ୍ଞାପନ ଦେଇଥିଲା । ଏହି ବିଜ୍ଞାପନରେ ଦାବି କରାଯାଇଥିଲା ଯେ ପୂର୍ବତନ ବିଜେପି ସରକାର ୪୦ ପ୍ରତିଶତ ଦୁର୍ନୀତିରେ ସମ୍ପୃକ୍ତ ଏବଂ ଗତ ଚାରି ବର୍ଷ ମଧ୍ୟରେ ରାଜ୍ୟ ରାଜକୋଷରୁ ୧.୫ ଲକ୍ଷ କୋଟି ଟଙ୍କା ଲୁଟ୍ ହୋଇଛି।

ବିଜେପି ନେତା ଏସ୍ କେଶବପ୍ରସାଦ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, କଂଗ୍ରେସର ବିଜ୍ଞାପନରେ ହୋଇଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ, ପକ୍ଷପାତି ଏବଂ ଅପମାନଜନକ।