୧୬ରେ ଶପଥ ନେବେ ଭଗବନ୍ତ ମାନ୍, ଭଗତ ସିଂହଙ୍କ ପୈତୃକ ଗ୍ରାମରେ ହେବ ଶପଥ ଗ୍ରହଣ ଉତ୍ସବ | News Room Odisha

୧୬ରେ ଶପଥ ନେବେ ଭଗବନ୍ତ ମାନ୍, ଭଗତ ସିଂହଙ୍କ ପୈତୃକ ଗ୍ରାମରେ ହେବ ଶପଥ ଗ୍ରହଣ ଉତ୍ସବ

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ର ବୃହତ ବିଜୟ ପରେ ବର୍ତ୍ତମାନ ଭଗବନ୍ତ ସିଂ ମାନ୍ ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ଏହାପୂର୍ବରୁ ମାର୍ଚ୍ଚ ୧୩ରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଭଗବନ୍ତ ମାନ୍ ଅମୃତସରରେ ଏକ ରୋଡ୍ ସୋ କରିବେ | ମାନ୍ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଏବଂ ଆଜି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ନେତା ରାଘବ ଚଢା ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ମୋର ସାନଭାଇ ଭଗବନ୍ତ ମାନ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଆଜି ସେ ମୋ ଘରକୁ ଆସି ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରଣ କରିଥିଲେ। ମୁଁ ନିଶ୍ଚିତ ଯେ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ଭଗବନ୍ତ ପଞ୍ଜାବ ଲୋକଙ୍କ ସବୁ ଆଶା ପୂରଣ କରିବେ।

ମାନ୍ ଧୁରୀ ଆସନରୁ ୫୮,୨୦୬ ଭୋଟ ବ୍ୟବଧାନରେ ଜିତିଥିଲେ | ମାନ୍ କହିଛନ୍ତି ଯେ ଶପଥ ଗ୍ରହଣ ଉତ୍ସବ ନୱାନସହର ଜିଲ୍ଲାରେ ଅବସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକର କଲାନରେ ଅନୁଷ୍ଠିତ ହେବ। ନିର୍ବାଚନରେ ତାଙ୍କ ଦଳର ବିପୁଳ ​ବିଜୟ ନେଇ ମାନ୍ କହିଛନ୍ତି ଯେ ଲୋକମାନେ ଅହଂକାରୀ ଲୋକଙ୍କୁ ହରାଇଛନ୍ତି ଏବଂ ସାଧାରଣ ଲୋକଙ୍କୁ ବିଜୟୀ କରିଛନ୍ତି।

ରାଜ୍ୟର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍ ୯୨ଟି ଜିତିଛି | ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ନବଜୋତ ସିଂ ସିଦ୍ଧୁ, ପ୍ରକାଶ ସିଂ ବାଦଲ ଏବଂ ଅମରିନ୍ଦର ସିଂଙ୍କ ସମେତ ଅନେକ ଭେଟେରାନ ଏଏପି ପ୍ରାର୍ଥୀଙ୍କ ଠାରୁ ହାରିଛନ୍ତି। ପରାଜୟ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟରେ କଂଗ୍ରେସ ମାତ୍ର ୧୮ ଟି ଆସନକୁ ଖସିଆସିଛି। ଆପ୍ ସୁନାମିରେ ଶିରୋମଣି ଅକାଳି ଦଳ-ବହୁଜନ ସମାଜ ପାର୍ଟି ମେଣ୍ଟ ଦଳ ମଧ୍ୟ ଧରାଶାୟୀ ହୋଇଛି | ଶିରୋମଣି ଅକାଳି ଦଳ ତିନୋଟି ସିଟ୍ ପାଇଥିବାବେଳେ ବିଜେପି ଦୁଇଟି ଏବଂ ବିଏସପି କେବଳ ଗୋଟିଏ ସିଟ୍ ପାଇଛି।