ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା | News Room Odisha

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା

ଜୟପୁର: ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାଚ୍ୟୁତ କରିବାର ୧୨ ଦିନ ପରେ ଶୁକ୍ରବାର ରାଜସ୍ଥାନରେ ବିଜେପି ସରକାରର ଶାସନ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଜି ତାଙ୍କ ୫୭ତମ ଜନ୍ମଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭଜନଲାଲ । ଐତିହାସିକ ଆଲବର୍ଟ ହଲ୍ ସମ୍ମୁଖରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ କଲରାଜ ମିଶ୍ର ଭଜନଲାଲ ଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଭଜନଲାଲଙ୍କ ସହ ଦିୟା କୁମାରୀ ଏବଂ ପ୍ରେମ ଚାନ୍ଦ ବୈରଓ୍ବା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ତିନି ଜଣ ହିନ୍ଦୀରେ ଶପଥ ନେଇଥିଲେ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ, ଜଲ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।

ଆରଏସ୍ଏସ୍ ସମର୍ଥିତ ଭଜନଲାଲ ଶର୍ମା ଡିସେମ୍ବର ୧୨ରେ ବିଜେପି ବିଧାୟକ ଦଳର ନେତା ଭାବେ ନିଯୁକ୍ତ ହୋଇଥିଲେ। ଦଳର ବ୍ରାହ୍ମଣ ଚେହେରା ଭଜନଲାଲ ଶର୍ମା ଭରତପୁର ଜିଲ୍ଲାରୁ ଆସିଛନ୍ତି । ସେ ଜୟପୁରର ସାଙ୍ଗାନେର ନିର୍ବାଚନ ମଣ୍ଡଳୀରେ ୪୮,୦୮୧ ଭୋଟ ବ୍ୟବଧାନରେ ଜିତି ପ୍ରଥମ ଥର ବିଧାୟକ ହୋଇଛନ୍ତି । ସେ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।