ଭୀମ ଆର୍ମି ମୁଖ୍ୟ ମୁଖ୍ୟଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼ | News Room Odisha

ଭୀମ ଆର୍ମି ମୁଖ୍ୟ ମୁଖ୍ୟଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲା ଦେଓବନ୍ଦରେ ଭୀମ ଆର୍ମି ମୁଖ୍ୟ ତଥା ଦଳିତ ନେତା ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଅଜ୍ଞାତ ବ୍ୟକ୍ତି ଚନ୍ଦ୍ରଶେଖରଙ୍କ କାର ଉପରକୁ ଗୁଳିମାଡ଼ କରିଥିଲେ। ଆଜାଦଙ୍କ ତଳିପେଟରେ ଗୁଳି ବାଜିଛି । ଏହି ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନା ବାହାରେ ତାଙ୍କ ସମର୍ଥକଙ୍କ ଭିଡ ଜମିବାରେ ଲାଗିଛି । ପୋଲିସ ପୂରା ଅଞ୍ଚଳକୁ ସିଲ୍ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଲାସି ଆରମ୍ଭ କରିଛି ।

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଦେଓବନ୍ଦରେ ତାଙ୍କ ସଂଗଠନର ସହକର୍ମୀ ଆଇନଜୀବୀ ଅଜୟଙ୍କ ଘରକୁ ଯାଇଥିଲେ। ଦୁଇ ଦିନ ପୂର୍ବେ ଅଜୟଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ଚନ୍ଦ୍ରଶେଖର ଅଜୟଙ୍କ ଘରୁ ବାହାରି ତାଙ୍କ କାରରେ ବସିବା ପରେ ଅନ୍ୟ ଏକ କାରରେ ଆସି ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ତଳିପେଟ ଦେଇ ବାହାରି ଯାଇଥିବା ଏସଏସପି ଡକ୍ଟର ବିପିନ ତାଡା କହିଛନ୍ତି। ସେ ବର୍ତ୍ତମାନ ଭଲ ଅଛନ୍ତି, ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି। ଏହି ଘଟଣା ଦେଓବନ୍ଦ ଅଞ୍ଚଳରେ ଘଟିଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ତାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଚନ୍ଦ୍ର ଶେଖର ଆଜାଦ କହିଛନ୍ତି, ମୋର ମନେ ନାହିଁ କିନ୍ତୁ ମୋର ଲୋକମାନେ ସେମାନଙ୍କୁ ଚିହ୍ନଟ କରିଛନ୍ତି। ଗୁଳିମାଡ଼ ପରେ ଆତତାୟୀମାନେ ସାହାରନପୁର ଆଡକୁ ପଳାଇଥିଲେ । ଆମ କାରରେ ୫ ଜଣ ଲୋକ ଥିଲେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସେ କହିଛନ୍ତି ।