ପୁଟିନଙ୍କୁ ଏକଛତ୍ରବାଦୀ କହିଲେ ବାଇଡେନ୍, ରୁଷୀୟ ବିମାନ ପାଇଁ ନିଜ ଆକାଶସୀମା ବନ୍ଦ କଲା ଆମେରିକା | News Room Odisha

ପୁଟିନଙ୍କୁ ଏକଛତ୍ରବାଦୀ କହିଲେ ବାଇଡେନ୍, ରୁଷୀୟ ବିମାନ ପାଇଁ ନିଜ ଆକାଶସୀମା ବନ୍ଦ କଲା ଆମେରିକା

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଆମେରିକା ସଂସଦରେ ନିଜ ପ୍ରଥମ ‘ଷ୍ଟେଟ ଅଫ ୟୁନିଅନ’ ସମ୍ବୋଧନରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ଯେ ପୁଟିନ ଏକ ବଡ଼ ଭୁଲ କରିଛନ୍ତି। ବିନା କାରଣରେ ସେ ୟୁକ୍ରେନ ଉପରେ ଆକ୍ରମଣ କରିଛନ୍ତି। ପୁଟିନ ଭାବିଥିଲେ ଯେ ୟୁକ୍ରେନ ଦୁର୍ବଳ, ଏହାକୁ ସହଜରେ ଦାବି ଦିଆଯାଇ ପାରିବ। କିନ୍ତୁ ତାଙ୍କର ଏହି ଧାରଣା ଭୁଲ ସାବ୍ୟସ୍ତ ହୋଇଛି ବୋଲି ବାଇଡେନ କହିଛନ୍ତି।

ବାଇଡେନ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ନିଜର ସେନାକୁ ସିଧାସଳଖ ରୁଷ ସହିତ ଯୁଦ୍ଧକୁ ପଠାଇବ ନାହିଁ | କିନ୍ତୁ ୟୁକ୍ରେନକୁ ସହାୟତା ଜାରି ରଖାଯିବ | ଜୋ ବାଇଡେନ ୟୁକ୍ରେନକୁ ୧୦୦ ମିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି। ରୁଷ ପାଇଁ ଆମେରିକାର ଆକାଶ ସୀମା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଧ୍ୟ ବାଇଡେନ ଘୋଷଣା କରିଛି |

ବାଇଡେନ କହିଛନ୍ତି ଯେ ଏହି ଯୁଦ୍ଧ ଗଣତନ୍ତ୍ର ଓ ଏକଛତ୍ରବାଦ ମଧ୍ୟରେ ଲଢ଼େଇ । ୟୁକ୍ରେନ ଉପରେ ଆକ୍ରମଣ କରି ପୁଟିନ ଏକ ବଡ ଭୁଲ କରିଛନ୍ତି। ଏଥିପାଇଁ ଏକଛତ୍ରବାଦୀ ପୁଟିନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ | ଆଜି ରୁଷର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଆମେ ରୁଷ୍ ଉପରେ ଅନେକ କଟକଣା ଲଗାଇଛୁ | ବାଇଡେନ କହିଛନ୍ତି ଯେ, ଆମେ ଇତିହାସରୁ ଜାଣିଛୁ ଯଦି ଏକଛତ୍ରବାଦୀ ଶାସକମାନେ ଦଣ୍ଡିତ ନ ହୁଅନ୍ତି, ସେମାନେ ଅଧିକ ବିଶୃଙ୍ଖଳା ବିସ୍ତାର କରନ୍ତି। ଅନ୍ୟ ଦେଶମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିଥାଏ | ଯେତେବେଳେ ଏହି ସମୟର ଇତିହାସ ଲେଖାଯିବ, ସେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଉଲ୍ଲେଖ ହେବ | ଏଥିରେ ପୁଟିନଙ୍କ କାରଣରୁ ରୁଷ ଦୁର୍ବଳ ଏବଂ ଅନ୍ୟ ଦେଶ ଗୁଡ଼ିକୁ ଶକ୍ତିଶାଳୀ ବୋଲି ବର୍ଣ୍ଣନା କରାଯିବ।