ୟୁପିରେ ବିଜେପିକୁ ଝଟକା, ଜଣେ ମନ୍ତ୍ରୀଙ୍କ ସହ ୪ ବିଧାୟକ ଦଳ ଛାଡ଼ିଲେ | News Room Odisha

ୟୁପିରେ ବିଜେପିକୁ ଝଟକା, ଜଣେ ମନ୍ତ୍ରୀଙ୍କ ସହ ୪ ବିଧାୟକ ଦଳ ଛାଡ଼ିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିଛି। ଯୋଗୀ ଆଦିତ୍ୟନାଥ ସରକାରରେ ଶ୍ରମ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡିଛନ୍ତି। ମୌର୍ଯ୍ୟ ଉତ୍ତର ପ୍ରଦେଶରେ ପଛୁଆବର୍ଗ (ଓବିସି)ର ଜଣେ ବଡ଼ ଚେହେରା ଭାବେ ପରିଚିତ | ତାଙ୍କ ସହ ଅନ୍ୟ ଚାରିଜଣ ବିଜେପି ବିଧାୟକ ବ୍ରଜେଶ ପ୍ରଜାପତି, ରୋଶନ ଲାଲ, ଭାଗବତ ସାଗର ଏବଂ ବିନୟ ଶାକ୍ୟ ମଧ୍ୟ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ମାୟାବତୀଙ୍କ ବାହୁଜନ ସମାଜ ପାର୍ଟି ଛାଡିବା ପରେ ମୌର୍ଯ୍ୟ ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ । ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର ମୁକାବିଲା ସକାଶେ ଓବିସି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମୌର୍ଯ୍ୟ ବିଜେପିର ଯୋଜନାର ଏକ ଅଂଶ ଥିଲେ ।

ସେ ବିଜେପି ଛାଡ଼ିବା ପରେ ବିଜେପି ଉପରେ ଏହାର ପ୍ରଭାବ କଣ ପଡ଼ିବ ଏହା ୨୦୨୨ ବିଧାନସଭା ନିର୍ବାଚନ ପରେ ସ୍ପଷ୍ଟ ହେବ ବୋଲି ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମାୟାବତୀଙ୍କ ଦଳ ବିଏସପି ଛାଡି ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ବିଏସପି ସୁପ୍ରିମୋ ମାୟାବତୀଙ୍କ ଘନିଷ୍ଠ ନେତାଙ୍କ ମଧ୍ୟରେ ମୌର୍ଯ୍ୟଙ୍କୁ ଗଣା ହେଉଥିଲେ । ମୌର୍ଯ୍ୟଙ୍କ ଝିଅ ସଙ୍ଘମିତ୍ରା ମୌର୍ଯ୍ୟ ବାଦାଉନର ଜଣେ ବିଜେପି ସାଂସଦ। ମୌର୍ଯ୍ୟ ଓବିସି ସମ୍ପ୍ରଦାୟର | ସେ ଅନେକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।