ବିହାରରେ ଜାତି ଭିତ୍ତିକ ଜନଗଣନା ରିପୋର୍ଟ ଜାରି, ଓବିସି ୬୩ ପ୍ରତିଶତ, ସାଧାରଣ ବର୍ଗ ୧୫% | News Room Odisha

ବିହାରରେ ଜାତି ଭିତ୍ତିକ ଜନଗଣନା ରିପୋର୍ଟ ଜାରି, ଓବିସି ୬୩ ପ୍ରତିଶତ, ସାଧାରଣ ବର୍ଗ ୧୫%

ପାଟନା: ବିହାରରେ ନିକଟରେ ହୋଇଥିବା ଜାତି ଭିତ୍ତିକ ଜନଗଣନା ରିପୋର୍ଟ ସୋମବାର ଜାରି କରାଯାଇଛି । ଏହି ରିପୋର୍ଟ ମୁତାବକ ରାଜ୍ୟର ମୋଟ ୧୩ କୋଟି ଲୋକଙ୍କ ମଧ୍ୟରେ ପଛୁଆ ବର୍ଗର ସଂଖ୍ୟା ହେଉଛି ୨୭.୧୩ ପ୍ରତିଶତ। ସେହିଭଳି ଅତି ପଛୁଆ ବର୍ଗର ସଂଖ୍ୟା ୩୬.୦୧ ପ୍ରତିଶତ | ବିହାରରେ ସବୁ ପଛୁଆ ବର୍ଗର ମିଳିତ ସଂଖ୍ୟା ହେଉଛି ୬୩.୧୪ ପ୍ରତିଶତ |

ରାଜ୍ୟରେ କେବଳ ୧୫.୫୨ ପ୍ରତିଶତ ଲୋକ ସାଧାରଣ ବର୍ଗର ଅଟନ୍ତି | ଅନୁସୂଚିତ ଜାତି ଜନଜାତି ୧୯.୬୫ ପ୍ରତିଶତ ରହିଥିବା ବେଳେ ଅନୁସୂଚିତ ଜନଜାତି ଜନସଂଖ୍ୟା ୧.୬୮ ପ୍ରତିଶତ। ରାଜ୍ୟରେ ମାତ୍ର ୩.୬ ପ୍ରତିଶତ ବ୍ରାହ୍ମଣ ଅଛନ୍ତି । ସେହିପରି ରାଜପୁତଙ୍କ ସଂଖ୍ୟା ୩.୪୫ ପ୍ରତିଶତ, ୨.୮୯ ପ୍ରତିଶତ ଭୁମିହର, ୦.୬୦ ପ୍ରତିଶତ କାୟସ୍ଥ, ୧୪.୨୬ ପ୍ରତିଶତ ଯାଦବ, ୨.୮୭ ପ୍ରତିଶତ କୁର୍ମି, ୨.୮୧ ପ୍ରତିଶତ ତେଲି, ୩.୦୮ ପ୍ରତିଶତ ମୁସାହାର, ୦.୬୮ ପ୍ରତିଶତ ସୋନାର ଅଛନ୍ତି।

ବିହାରରେ ମୋଟ ଜନସଂଖ୍ୟାର ୮୧.୯୯ ପ୍ରତିଶତ ହିନ୍ଦୁ ହୋଇଥିବା ବେଳେ ୧୭.୭ ପ୍ରତିଶତ‌ ହେଉଛନ୍ତି ମୁସଲିମ । ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ ଏବଂ ଅନ୍ୟ ଧର୍ମର ଲୋକଙ୍କ ସଂଖ୍ୟା ୧ ପ୍ରତିଶତରୁ କମ୍।

ବିହାରରେ ଜାତି ଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଏହି ସର୍ଭେ କରିଥିବା ଟିମକୁ ଅଭିନନ୍ଦନ ଜଣାଇଛନ୍ତି।