'ନ୍ୟାୟ ବ୍ୟବସ୍ଥା ଉପରୁ ବିଶ୍ବାସ ତୁଟି ଯାଇଛି', ୧୧ ଦୋଷୀଙ୍କୁ ମୁକ୍ତ କରାଯିବା ପରେ ବିଲକିସ୍ ବାନୋଙ୍କ ପ୍ରତିକ୍ରିୟା | News Room Odisha

‘ନ୍ୟାୟ ବ୍ୟବସ୍ଥା ଉପରୁ ବିଶ୍ବାସ ତୁଟି ଯାଇଛି’, ୧୧ ଦୋଷୀଙ୍କୁ ମୁକ୍ତ କରାଯିବା ପରେ ବିଲକିସ୍ ବାନୋଙ୍କ ପ୍ରତିକ୍ରିୟା

ଅହମ୍ମଦାବାଦ: ଗୁଜରାଟର ୨୦୦୨ ଗୋଧ୍ରା କାଣ୍ଡ ପରବର୍ତ୍ତୀ ସାମ୍ପ୍ରଦାୟିକ ଦଙ୍ଗାରେ ତାଙ୍କ ସହ ଗଣବଳାତ୍କାର ଏବଂ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା ପାଇଁ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯିବା ନେଇ ବିଲକିସ୍ ବାନୋଙ୍କ ପ୍ରତିକ୍ରିୟା ଆସିଛି । ବିଲକିସ୍ ବାନୋ କହିଛନ୍ତି ଯେ ଧାର୍ଯ୍ୟ ସମୟ ପୂର୍ବରୁ ଦୋଷୀ ମାନଙ୍କୁ ମୁକ୍ତ କରିବା ପରେ ନ୍ୟାୟ ବ୍ୟବସ୍ଥା ଉପରୁ ତାଙ୍କର ବିଶ୍ବାସ ତୁଟି ଯାଇଛି।

ବିଲକିସ୍ ବାନୋ ଗଣବଳାତ୍କାର ଏବଂ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ୧୧ ଜଣଙ୍କୁ ବିଜେପି ନେତୃତ୍ୱାଧୀନ ଗୁଜରାଟ ସରକାରଙ୍କ କ୍ଷମା ନୀତି ଅନୁଯାୟୀ ଅଗଷ୍ଟ ୧୫ରେ ଗୋଧ୍ରା ସବ୍ ଜେଲରୁ ଖଲାସ କରାଯାଇଥିଲା।

ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରି ବିଲକିସ୍ କହିଛନ୍ତି ଯେ “ଏତେ ବଡ଼ ଓ ଅନ୍ୟାୟପୂର୍ଣ୍ଣ ନିଷ୍ପତ୍ତି” ନେବା ପୂର୍ବରୁ କେହି ତାଙ୍କ ସୁରକ୍ଷା କିମ୍ବା ସେମାନଙ୍କ ମଙ୍ଗଳ ବିଷୟରେ ପଚାରି ନାହାଁନ୍ତି। ଗୁଜରାଟ ସରକାର ଏହି ନିଷ୍ପତ୍ତିରେ ବଦଳାଇବାକୁ ଏବଂ ସେମାନଙ୍କୁ “ଶାନ୍ତିରେ ବଞ୍ଚିବାର” ଅଧିକାର ଦେବାକୁ ସେ କହିଛନ୍ତି ।

ବିଲକିସ୍ ବାନୋଙ୍କ ତରଫରୁ ତାଙ୍କ ଓକିଲ ଶୋଭା ଦେଇଥିବା ବିବୃତ୍ତି ଅନୁଯାୟୀ ସେ କହିଛନ୍ତି, “ଅଗଷ୍ଟ ୧୫, ୨୦୨୨ରେ ଦୁଇ ଦିନ ପୂର୍ବରୁ ଯେତେବେଳେ ମୁଁ ଶୁଣିଲି ଯେ ଯେଉଁମାନେ ମୋ ପରିବାର ଏବଂ ମୋ ଜୀବନକୁ ନଷ୍ଟ କରିଦେଇଥିଲେ ଓ ମୋର ତିନି ବର୍ଷର ଝିଅକୁ ଛଡ଼ାଇ ନେଇଥିଲେ ସେଇ ୧୧ ଦୋଷୀଙ୍କୁ ମୁକ୍ତ କରାଯାଇଛି । ଏହାପରେ ୨୦ ବର୍ଷ ପୁରୁଣା ଅତୀତ ମୋ ସାମ୍ନାରେ ପୁଣି ଠିଆ ହୋଇଯାଇଛି |

ସେ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଶୁଣିବା ପରେ ସେ ଜଡ଼ ପାଲଟି ଯାଇଛନ୍ତି। ମୋ ପାଖରେ ଶବ୍ଦ ନାହିଁ। ମୁଁ ଏବେ ନିର୍ବାକ। ”

ବିଲକିସ୍ କହିଛନ୍ତି ଯେ ସେ ଆଜି କେବଳ ଏତିକି କହିପାରିବେ ଯେ, “ଜଣେ ମହିଳାଙ୍କ ପାଇଁ ନ୍ୟାୟ ଏମିତି କିପରି ଶେଷ ହୋଇପାରିବ?” ସେ କହିଛନ୍ତି ମୁଁ ମୋର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ବିଶ୍ୱାସ କରିଥିଲି। ମୁଁ ଶାସନ ବ୍ୟବସ୍ଥା ଉପରେ ନିର୍ଭର କଲି ଏବଂ ଧୀରେ ଧୀରେ ମୋର ଭୟାବହ ଅତୀତ ସହିତ ବଞ୍ଚିବାକୁ ଶିଖୁଥିଲି | ଦୋଷୀଙ୍କୁ ମୁକ୍ତ କରିବା ପରେ ମୋର ଶାନ୍ତି ଭଙ୍ଗ ହୋଇଯାଇଛି ଏବଂ ମୁଁ ନ୍ୟାୟ ଉପରେ ବିଶ୍ୱାସ ହରାଇଛି। ”

ସେ କହିଛନ୍ତି ଯେ ମୋର ଦୁଃଖ ଏବଂ ମୋର ବିଶ୍ୱାସ ହରାଇବା କେବଳ ମୋର ସମସ୍ୟା ନୁହେଁ, ବରଂ କୋର୍ଟରେ ନ୍ୟାୟ ପାଇଁ ଲଢୁଥିବା ସମସ୍ତ ମହିଳାଙ୍କର।

ଦୋଷୀ ସାବ୍ୟସ୍ତ ହେବା ପରେ ବିଲକିସ୍ ତାଙ୍କ ଏବଂ ତାଙ୍କ ପରିବାରର ସୁରକ୍ଷା ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି।