ନିର୍ବାଚନ ଅଧିକାରୀଙ୍କ ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିବେ ପ୍ରଧାନ ବିଚାରପତି, ବିଲ୍ ଆଣିଲେ ସରକାର | News Room Odisha

ନିର୍ବାଚନ ଅଧିକାରୀଙ୍କ ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିବେ ପ୍ରଧାନ ବିଚାରପତି, ବିଲ୍ ଆଣିଲେ ସରକାର

ନୂଆଦିଲ୍ଲୀ: ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦରେ ଏବେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇପାରେ । କାରଣ କେନ୍ଦ୍ର ସରକାର ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି ଯାହା ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟାରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦେବ। ଏ ସମ୍ପର୍କରେ ରାଜ୍ୟସଭାରେ ଏକ ବିଲ୍ ଆଗତ ହୋଇଛି।

ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତ ଏବଂ କାର୍ଯ୍ୟକାଳ ଅବଧି) ବିଲ୍, ୨୦୨୩ ଗୁରୁବାର ରାଜ୍ୟସଭାରେ ଆଗତ କରାଯାଇଛି । ଏଥିରେ କୁହାଯାଇଛି ଯେ ଏକ ପ୍ୟାନେଲର ସୁପାରିସ କ୍ରମେ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିବେ । ଏହି ପ୍ୟାନେଲରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ କ୍ୟାବିନେଟ ମନ୍ତ୍ରୀ ସାମିଲ ହେବେ।

ଏହି ବିଲ୍ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ କରୁଛି। ସୁପ୍ରିମକୋର୍ଟଙ୍କ ଏକ ସମ୍ବିଧାନ ପୀଠ କହିଥିଲେ ଯେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଓ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପରାମର୍ଶ କ୍ରମେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି କରାଯିବା ଉଚିତ। ଅର୍ଥାତ୍ ପ୍ରଧାନ ବିଚାରପତିଙ୍କୁ ଏହି ପ୍ୟାନେଲରେ ରଖିବା ପାଇଁ କୁହାଯାଇଥିଲା । କିନ୍ତୁ ସରକାରଙ୍କ ନୂଆ ଆଇନ ଯଦି ଲାଗୁ ହୁଏ ତେବେ ପ୍ରଧାନ ବିଚାରପତି ପ୍ୟାନେଲରୁ ବାଦ୍ ପଡ଼ିବେ | ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ସଂସଦରେ ଏ ବାବଦରେ ଆଇନ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ।

ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖାଦେଇଛି । କଲେଜିୟମର ସୁପାରିସ ନ ଗ୍ରହଣ କରିବା ହେଉ ଅବା କେନ୍ଦ୍ର ମନ୍ତ୍ରୀଙ୍କ ଟିପ୍ପଣୀ, ପ୍ରତ୍ୟେକ ଥର ନ୍ୟାୟାଳୟ-ସରକାର ବିବାଦ ପଦାରେ ପଡ଼ିଥିଲା । ନିକଟରେ ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ମାମଲାରେ ଏକ ବିଲ୍ ଆଣି କେନ୍ଦ୍ର ସରକାର ପୁଣି ସୁପ୍ରିମକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ନିଷ୍ପ୍ରଭ କରିଦେଇଥିଲେ ।