ରାଜ୍ୟଗୋଷ୍ଠୀ କ୍ରୀଡା: ଭାରୋତ୍ତୋଳନରେ ଭାରତକୁ ଚତୁର୍ଥ ପଦକ, ବିନ୍ଦିୟାରାନୀ ଜିତିଲେ ରୌପ୍ୟ | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରୋତ୍ତୋଳନରେ ଭାରତକୁ ଚତୁର୍ଥ ପଦକ, ବିନ୍ଦିୟାରାନୀ ଜିତିଲେ ରୌପ୍ୟ

ବର୍ମିଂହାମ୍ : ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତକୁ ଚତୁର୍ଥ ପଦକ ଦେଇଛନ୍ତି ବିନ୍ଦିୟାରାନୀ ଦେବୀ । ଏହି ପଦକ ମଧ୍ୟ ଭାରୋତ୍ତୋଳନରୁ ଆସିଛି । ଭାରୋତ୍ତୋଳନରେ ମହିଳା ୫୫ କିଲୋଗ୍ରାମ ବର୍ଗରେ ସେ ମୋଟ ୨୦୨ କିଲୋଗ୍ରାମ ଉଠାଇ ରୌପ୍ୟ ପଦକ ଜିତିଛନ୍ତି।

ବିନ୍ଦିଆରାନି ସ୍ନାଚ୍ ରେ ୮୬ କିଲୋଗ୍ରାମ ଉଠାଇଥିବାବେଳେ କ୍ଲିନ୍ ଏବଂ ଜର୍କରେ ୧୧୬ କିଲୋଗ୍ରାମ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡା ରେକର୍ଡ ସୃଷ୍ଟି କରିଥିଲେ |

ଏହି ମ୍ୟାଚରେ ନାଇଜେରିଆର ଆଦିଜାଟ ଓଲାରିନୋ ତାଙ୍କଠାରୁ ମାତ୍ର ଏକ କିଲୋଗ୍ରାମ ଅଧିକ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଜଣେ ଚାଷୀ ଝିଅ ବିନ୍ଦିୟାରାନୀ ଦେବୀ ମଣିପୁରରୁ ଆସିଛନ୍ତି। ପଦକ ଜିତିବା ପରେ ସେ କହିଛନ୍ତି ଯେ ଏହା ମୋର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡା। ମୁଁ ରେକର୍ଡ ସହ ରୌପ୍ୟ ଜିତିବା ନେଇ ବହୁତ ଖୁସି |

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ଟାଏକୋଣ୍ଡୋ ଖେଳୁଥିଲି କିନ୍ତୁ ଉଚ୍ଚତା କାରଣରୁ ଭାରୋତ୍ତୋଳନ କରିବାକୁ ନିଷ୍ପତ୍ତି ନେଇଥିଲି। ଲୋକମାନେ କହିଥିଲେ ଯେ ମୋର ଉଚ୍ଚତା ଭାରୋତ୍ତୋଳନ ପାଇଁ ଠିକ୍ ହେବ |

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏଯାବତ ୪ଟି ପଦକ ଜିତିଛି ଏବଂ ଚାରିଟି ଯାକ ପଦକ ଭାରୋତ୍ତୋଳନରୁ ହିଁ ଆସିଛି। ଶନିବାର ମୀରାବାଈ ଚାନୁ ୪୯ କେଜି ବର୍ଗରେ ଭରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାଛଡ଼ା ପୁରୁଷ ୫୫ କେଜି ବର୍ଗରେ ସଙ୍କେତ ସରଗର ରୌପ୍ୟ ହାସଲ କରିଥିବା ବେଳେ ଗୁରୁରାଜ ପୂଜାରୀ ୬୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।