ଆଜି ସ୍ଥଳଭାଗ ଛୁଇଁବ 'ବିପର୍ଯ୍ୟୟ', ଗୁଜରାଟରେ ହାଇ ଆଲର୍ଟ, ୭୦ ହଜାରରୁ ଉର୍ଦ୍ଧ୍ଵ ଲୋକ ସ୍ଥାନାନ୍ତର | News Room Odisha

ଆଜି ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’, ଗୁଜରାଟରେ ହାଇ ଆଲର୍ଟ, ୭୦ ହଜାରରୁ ଉର୍ଦ୍ଧ୍ଵ ଲୋକ ସ୍ଥାନାନ୍ତର

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଆଜି ଗୁଜରାଟର କଚ୍ ଜିଲ୍ଲାର ଜଖାଉ ବନ୍ଦର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡ଼ା ଏହି ସମୟରେ ପବନର ବେଗ ୧୨୦-୧୩୦ କିଲୋମିଟରରୁ ୧୫୦ କିଲୋମିଟରକୁ ବୃଦ୍ଧି ପାଇପାରେ।

ଭାରତୀୟ ପାଣିପାଗ ସୌରାଷ୍ଟ୍ର ଏବଂ କଚ୍ ପାଇଁ ରେଡ୍ ଆଲର୍ଟ ଜାରି କରିଛି।

‘ବିପର୍ଯ୍ୟୟ’ ପ୍ରଭାବରେ ରାସ୍ତା, ଫସଲ ଏବଂ ଘର ସହିତ ରେଳ ମାର୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ବିଦ୍ୟୁତ୍ ଏବଂ ଯୋଗାଯୋଗ ଲାଇନ ମଧ୍ୟ ବ୍ୟାହତ ହୋଇପାରେ ।

ବାତ୍ୟା ଦୃଷ୍ଟିରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରୁ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ପାଣିପାଗ ବିଭାଗ ଅନୁଯାୟୀ, ‘ବିପର୍ଯ୍ୟୟ’ ଏକ କାଟେଗୋରି-୨ ଝଡ଼ । ଏହାର ପ୍ରଭାବରେ ଗୁଜରାଟର କଚ୍, ଦ୍ୱାରକା, ଜାମନଗର, ପୋରବନ୍ଦର, ରାଜକୋଟ, ମୋର୍ବି ଏବଂ ଜୁନାଗଡରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୪ ଘଣ୍ଟା ପରିସ୍ଥିତି ଉପରେ ନଜର ରଖିଛି।

ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର ୧୨ଟି ଟିମ୍ ନିୟୋଜିତ କରାଯାଇଛି | ଏହାଛଡ଼ା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ୧୫ ଟିମକୁ ଷ୍ଟାଣ୍ଡବାଇରେ ରଖାଯାଇଛି।

କୋଷ୍ଟଗାର୍ଡ ଏବଂ ନୌସେନା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଜାହାଜ ଏବଂ ହେଲିକପ୍ଟର ନିୟୋଜିତ କରିଛନ୍ତି। ସେନା ବାୟୁସେନା ଏବଂ ଇଞ୍ଜିନିୟର ଟାସ୍କ ଫୋର୍ସର ୟୁନିଟ୍ ଡଙ୍ଗା ଏବଂ ଉଦ୍ଧାର ଉପକରଣ ସହିତ ଷ୍ଟାଣ୍ଡବାଇରେ ଅଛନ୍ତି।