ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ କେଜ୍ରିୱାଲଙ୍କ ପିଏ ବିଭବ କୁମାର ଗିରଫ | News Room Odisha

ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ କେଜ୍ରିୱାଲଙ୍କ ପିଏ ବିଭବ କୁମାର ଗିରଫ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆପ୍ ସାଂସଦ ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ ଅଭିଯୁକ୍ତ ବିଭବ କୁମାରଙ୍କୁ ଶନିବାର ଦିଲ୍ଲୀ ପୋଲିସ ଗିରଫ କରିଛି। ବିଭବ କୁମାର ହେଉଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ । ପୋଲିସ ତାଙ୍କୁ ଗିରଫ କରି ସିଭିଲ ଲାଇନ୍ସ ପୋଲିସ ଥାନା ନେଇଛି। ପଚରାଉଚରା ପରେ ବିଭବଙ୍କୁ କୋର୍ଟରେ ହାଜର କରାଯିବ।

ମାଲିୱାଲଙ୍କ ଅଭିଯୋଗ ମୁତାବକ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପାଇଁ ମେ ୧୩ ତାରିଖ ସକାଳ ପ୍ରାୟ ୯ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ବିଭବ କୁମାର ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ ବୋଲି ମାଲିଓ୍ବାଲ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କର ସାର୍ଟ ଚିରି ଛିଣ୍ଡାଇ ଦିଆଯାଇଥିଲା ବୋଲି ସେ ଦାବି କରିଛନ୍ତି । ଏନେଇ ମାଲିୱାଲ ମେ ୧୬ ତାରିଖରେ ଦିଲ୍ଲୀ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ।

ମେ ୧୭ ରାତି ପ୍ରାୟ ୧୨ଟାରେ ଦିଲ୍ଲୀ ପୋଲିସ ଏମ୍ସରେ ମାଲିୱାଲଙ୍କ ଡାକ୍ତରୀ ପରୀକ୍ଷା କରିଥିଲା। ଶନିବାର ଆସିଥିବା ଡାକ୍ତରୀ ରିପୋର୍ଟରେ କୁହାଯାଇଛି ଯେ ମାଲିୱାଲଙ୍କ ଆଖି ଓ ଗୋଡରେ କ୍ଷତ ଚିହ୍ନ ଅଛି। ରିପୋର୍ଟ ଆସିବାର କିଛି ଘଣ୍ଟା ପରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ବାସଭବନରେ ପହଞ୍ଚି ବିଭବଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ଘଟଣାର ଷଷ୍ଠ ଦିନରେ ଅର୍ଥାତ୍ ମେ ୧୮ରେ ସ୍ବାତି ମାଲିୱାଲଙ୍କ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ୩୨ ସେକେଣ୍ଡର ଏହି ଭିଡିଓରେ ପୋଲିସ୍ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘରୁ ବାହାରକୁ ନେଉଥିବା ଦେଖିବାକୁ ମିଳୁଛି।