ଦ୍ରୌପଦୀ ମୁର୍ମୁଙ୍କୁ 'ରାଷ୍ଟ୍ରପତ୍ନୀ' କହିବା ନେଇ ହଙ୍ଗାମା, କଂଗ୍ରେସକୁ ଘେରିଲା ବିଜେପି | News Room Odisha

ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହିବା ନେଇ ହଙ୍ଗାମା, କଂଗ୍ରେସକୁ ଘେରିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧନ କରିବା ନେଇ ବିବାଦ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ଏପରି ମନ୍ତବ୍ୟ ନେଇ ବିଜେପି ଆଜି ଲୋକସଭାରେ କଂଗ୍ରେସକୁ ଜୋରଦାର ଆକ୍ରମଣ କରିଛି । ବିଜେପି ସାଂସଦଙ୍କ ହଙ୍ଗାମା ଯୋଗୁଁ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି।
କଂଗ୍ରେସ ମର୍ଯ୍ୟାଦାର ସବୁ ସୀମା ଉଲ୍ଲଂଘନ କରିଛି ବୋଲି ବିଜେପି କହିଛି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଜଣେ ଆଦିବାସୀ ମହିଳାଙ୍କୁ ଅସମ୍ମାନ କରିଛି କଂଗ୍ରେସ । ଏଥିପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

ସୂଚନାଯୋଗ୍ୟ ଯେ ବୁଧବାର ଏକ ଘରୋଇ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ମୁର୍ମୁଙ୍କୁ “ରାଷ୍ଟ୍ରପତ୍ନୀ” ବୋଲି ସମ୍ବୋଧନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ପତ୍ନୀ ଭାବରେ ସମ୍ବୋଧନ କରିବା ଭାରତର ପ୍ରତିଟି ଆଦର୍ଶ ଏବଂ ସଂସ୍କାର ବିରୁଦ୍ଧ । ଏପରି ସମ୍ବୋଧନ ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦର ଗାରିମା ପ୍ରତି କୁଠାରାଘାତ । ଏହା ଜାଣିବା ସତ୍ତ୍ୱେ ଜଣେ ପୁରୁଷ କଂଗ୍ରେସ ନେତା ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି। ”

ଇରାନୀ କଂଗ୍ରେସକୁ ଏକ ଆଦିବାସୀ, ଗରିବ ଏବଂ ମହିଳା ବିରୋଧୀ ଦଳ ବୋଲି ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦିନଠାରୁ ଦ୍ରୌପଦୀ ମୁର୍ମୁଙ୍କୁ ଉପହାସ କରୁଛି ଏବଂ ଏହି କ୍ରମରେ ତାଙ୍କୁ କେତେବେଳେ କାଠ କଣ୍ଢେଇ ତ ଆଉ କେତେବେଳେ ଅଶୁଭତ୍ବର ପ୍ରତୀକ ବୋଲି କହିଛି ବୋଲି ଇରାନୀ ଅଭିଯୋଗ କରିଛନ୍ତି ।

ସେପଟେ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ସେ ଜାଣିଶୁଣି ଏପରି ମନ୍ତବ୍ୟ ଦେଇ ନାହାଁନ୍ତି। କହୁ କହୁ ତାଙ୍କ ପାଟିରୁ ଏହି ଶବ୍ଦ ବାହାରିପଡ଼ିଲା ବୋଲି ସଫେଇ ଦେଇଛନ୍ତି ଏହି କଂଗ୍ରେସ ନେତା । ସେ ଏଥିପାଇଁ କ୍ଷମା ମାଗିବାର ଆବଶ୍ୟକତା ନାହିଁ ବୋଲି ଚୌଧୁରୀ କହିଛନ୍ତି ।