ସୁରଟ କୋର୍ଟଙ୍କ ରାୟ ଗାନ୍ଧୀ ପରିବାର ମୁହଁରେ ଚାପୁଡ଼ା: ବିଜେପି | News Room Odisha

ସୁରଟ କୋର୍ଟଙ୍କ ରାୟ ଗାନ୍ଧୀ ପରିବାର ମୁହଁରେ ଚାପୁଡ଼ା: ବିଜେପି

ନୂଆଦିଲ୍ଲୀ: ମାନହାନୀ ମାମଲାରେ ତଳକୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ପାଇଁ ରାହୁଲ ଗାନ୍ଧୀଙ୍କ ଆବେଦନକୁ ସୁରଟର ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି ।

ସୁରଟ କୋର୍ଟର ନିଷ୍ପତ୍ତି ପରେ ବିଜେପି ପ୍ରତିକ୍ରିୟା ରଖିଛି।ଦଳର ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁରଟ କୋର୍ଟଙ୍କ ନିଷ୍ପତ୍ତି ଯୋଗୁଁ ସମଗ୍ର ଦେଶରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।

ସମ୍ବିଟ ପାତ୍ର କହିଛନ୍ତି, “ଯେଉଁ ପଛୁଆ ବର୍ଗଙ୍କ ପ୍ରତି ରାହୁଲ ଗାନ୍ଧୀ ଆପତ୍ତିଜନକ ଶବ୍ଦ ବ୍ୟବହାର କରି, ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଏସବୁ କରି ଗାନ୍ଧୀ ପରିବାର ଖସିଯିବେ ବୋଲି ଭାବିଥିଲେ, କିନ୍ତୁ ତାହା ହେଲା ନାହିଁ। କୋର୍ଟଙ୍କ ଏହି ରାୟ ଗାନ୍ଧୀ ପରିବାରର ମୁହଁରେ ଏକ ଚାପୁଡ଼ା । ଆଜି ସୁରଟ କୋର୍ଟ ପ୍ରମାଣ କରିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ। ”

ଉଲ୍ଲେଖଯୋଗ୍ୟ, ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ‌ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଥିଲେ ‘ସବୁ ମୋଦୀ ସାଙ୍ଗିଆଧାରୀ ଲୋକ ଚୋର’ । ସେ ଅର୍ଥନୈତିକ ଅପରାଧୀ ଓ ପଳାତକ ଘୋଷିତ ଲଳିତ ମୋଦୀ ଏବଂ ନିରବ ମୋଦୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୁଳନା କରିଥିଲେ। ରାହୁଲଙ୍କ ଏହି ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଗୁଜରାଟର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ ।

ଏହି ମାମଲାରେ ସୁରଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।‌ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦିନକ ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ରାହୁଲ କେରଳର ୱାୟାନାଡର ସାଂସଦ ଥିଲେ।

ଦଣ୍ଡାଦେଶ ବିରୋଧରେ ଆବେଦନ କରିବାକୁ ଚେଷ୍ଟା ଏକ ମାସ ସମୟ ଦିଆଯାଇଥିଲା ଏବଂ ଜାମିନ ବି ମିଳିଥିଲା। କିନ୍ତୁ ସେପଟେ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା ଏବଂ ତାଙ୍କୁ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡ଼ିଥିଲା ।