ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା: ୩୩ ସାଂସଦଙ୍କ ଟିକେଟ୍ କଟିଲା | News Room Odisha

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା: ୩୩ ସାଂସଦଙ୍କ ଟିକେଟ୍ କଟିଲା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ବିଜେପି ପ୍ରଥମ ତାଲିକାରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ୩୩ ସାଂସଦଙ୍କ ବଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି ।

ପଶ୍ଚିମ ଦିଲ୍ଲୀରୁ ସାଂସଦ ଥିବା ପ୍ରବେଶ ବର୍ମାଙ୍କ ଟିକେଟ୍ କଟିଛି । ତାଙ୍କ ସ୍ଥାନରେ କମଲଜିତ ସେରାୱତଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ନୂଆଦିଲ୍ଲୀ ଆସନରୁ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ଏଥର ଟିକେଟ୍ ମିଳିନି । ଲେଖୀଙ୍କ ସ୍ଥାନରେ ପୂର୍ବତନ‌ ବିଦେଶ ମନ୍ତ୍ରୀ ସ୍ବର୍ଗତା ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ଟିକେଟ୍ ଦିଆଯାଇଛି। ଚାନ୍ଦିନୀଚୌକ ଆସନରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ତାଙ୍କ ସ୍ଥାନରେ ଦିଲ୍ଲୀର ବ୍ୟବସାୟୀ ନେତା ପ୍ରବୀଣ ଖଣ୍ଡେଲୱାଲଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି । ଏହାଛଡ଼ା ଦକ୍ଷିଣ ଦିଲ୍ଲୀରୁ ସାଂସଦ ରମେଶ ବିଧୁରୀଙ୍କ ଟିକେଟ୍ ମଧ୍ୟ କଟିଛି। ବିଧୁରୀଙ୍କ ବଦଳରେ ଏଥର ଏହି ଆସନରୁ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ରାମବୀର ସିଂହଙ୍କୁ ପ୍ରାର୍ଥୀ କରାଯାଇଛି । ଲୋକସଭାରେ ବିଏସପି ସାଂସଦ (ବର୍ତ୍ତମାନ ନିଲମ୍ବିତ) ଦାନିଶ ଅଲିଙ୍କୁ ଗାଳିଗୁଲଜ କରି ବିବାଦୀୟ ହୋଇପଡିଥିଲେ ରମେଶ ବିଧୁରୀ ।

ସେହିପରି ବିଜେପି କେପି ଯାଦବଙ୍କ ଟିକେଟ କାଟି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ଗୁନାରୁ ପ୍ରାର୍ଥୀ କରିଛି । ଭୋପାଳରୁ ସାଂସଦ ଥିବା ସାଧବୀ ପ୍ରଜ୍ଞା ଠାକୁରଙ୍କୁ ମଧ୍ୟ ବାଦ୍ ଦେଇଛି ଦଳ । ଏହି ବିବାଦୀୟ ନେତ୍ରୀଙ୍କ ସ୍ଥାନରେ ପୂର୍ବତନ ମେୟର ଆଲୋକ ଶର୍ମା ଏହି ଆସନରୁ ଟିକେଟ୍ ପାଇଛନ୍ତି । ସାଗରରୁ ସାଂସଦ ରାଜବାହାଦୁର ସିଂଙ୍କ ସ୍ଥାନରେ ଲତା ଓ୍ବାଙ୍ଖେଡେ ଟିକେଟ୍ ପାଇଛନ୍ତି । ଅନୀତା ନାଗର ସିଂହ ଚୌହାନଙ୍କୁ ରତ୍ଲାମରୁ ଜିଏସ ଡାମୋରଙ୍କ ସ୍ଥାନରେ ଟିକେଟ୍ ମିଳିଛି।

ଏହାଛଡ଼ା ବିଦିଶାରୁ ରମାକାନ୍ତ ଭାର୍ଗବଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଗ୍ୱାଲିଅରରୁ ବିବେକ ଶେଜୱାଲକରଙ୍କ ଟିକେଟ୍ କାଟି ଭାରତ ସିଂହ କୁଶୱାଙ୍କୁ ପ୍ରାର୍ଥୀ କରାଯାଇଛି। ନରେନ୍ଦ୍ର ସିଂ ତୋମରଙ୍କ ସ୍ଥାନରେ ଶିବମଙ୍ଗଲ ସିଂହ ଚୌହାନଙ୍କୁ ମୋରେନାରୁ ଟିକେଟ୍ ଦିଆଯାଇଛି। ନରେନ୍ଦ୍ର ସିଂ ତୋମାର ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଲଢ଼ିଥିଲେ । ତେଣୁ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ‌। ସେ ସମ୍ପ୍ରତି ରାଜ୍ୟ ବିଧାନସଭାର ବାଚସ୍ପତି ଅଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନର ୨୫ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୫ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟର ସାଂସଦ ରଞ୍ଜିତା କୋଲି, ରାହୁଲ କସୱାନ, ଦେବଜୀ ପଟେଲ, ଅର୍ଜୁନ ଲାଲ ମୀନା ଏବଂ କନକମଲ କାଟାରାଙ୍କ ଟିକେଟ୍ କଟିଛି ।

ଉତ୍ତର ପ୍ରଦେଶରେ ବିଜେପି ୪ ସାଂସଦଙ୍କ ବଦଳରେ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। ଗୁଜରାଟର ୨୬ ଆସନ‌ ମଧ୍ୟରୁ ୧୫ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ପାଞ୍ଚ ସାଂସଦଙ୍କ ଟିକେଟ୍ କଟିଛି ।