କର୍ଣ୍ଣାଟକ ନିର୍ବାଚନ: ସୋନିଆଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି | News Room Odisha

କର୍ଣ୍ଣାଟକ ନିର୍ବାଚନ: ସୋନିଆଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର ‌‌। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦଳଗୁଡ଼ିକ କୌଣସି ସୁଯୋଗ ହାତଛଡ଼ା କରୁ ନାହାଁନ୍ତି । ଇତି ମଧ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଧାରା ଜାରି ରହିଛି ‌। ନିର୍ବାଚନ ପ୍ରଚାର ବେଳେ କର୍ଣ୍ଣାଟକ ପାଇଁ ‘ସାର୍ବଭୌମତ୍ବ’ ଶବ୍ଦ ବ୍ୟବହାର କରିଥିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ବିଜେପି। ସୋନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କଂଗ୍ରେସ ଦଳର ମାନ୍ୟତା ରଦ୍ଦ କରିବାକୁ ମଧ୍ୟ ଦାବି କରିଛି ଦଳ ।

ବିଜେପି କହିଛି, କର୍ଣ୍ଣାଟକ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ଭାରତର ଏକ ରାଜ୍ୟର ‘ସାର୍ବଭୌମତ୍ବ’ ରକ୍ଷା କରିବାକୁ ଆହ୍ବାନ ଦେବା ବିଚ୍ଛିନ୍ନତା ପାଇଁ ଆହ୍ବାନ ସହିତ ସମାନ ‌। ଏହାର ପରିଣାମ ବିପଜ୍ଜନକ ଏବଂ ସାଂଘାତିକ ହୋଇପାରେ ।

ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ବିଜେପି ନେତା ତରୁଣ ଚୁଘ କହିଛନ୍ତି ଯେ ଲୋକ ପ୍ରତିନିଧୀ ଆଇନ ଅନୁଯାୟୀ କଂଗ୍ରେସ ଦଳର ମାନ୍ୟତା ରଦ୍ଦ କରାଯିବା ଉଚିତ। ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସ ତରଫରୁ ଟ୍ୱିଟ୍ ହୋଇଥିବା ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟର ଏକ କପି ମଧ୍ୟ ଦାଖଲ କରିଛି।

ଶନିବାର ହୁବଲିରେ ଏକ ନିର୍ବାଚନ ରାଲିରେ ସୋନିଆ ଗାନ୍ଧୀଙ୍କ ଭାଷଣ ଉଲ୍ଲେଖ କରି କଂଗ୍ରେସ ଏକ ଟ୍ବିଟରେ କହିଥିଲା, “କଂଗ୍ରେସ ସଂସଦୀୟ ଦଳର ସଭାପତି (ସୋନିଆ) ୬.୫ କୋଟି କନ୍ନଡ ଲୋକଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। କଂଗ୍ରେସ କେବେ ବି କର୍ଣ୍ଣାଟକର ସମ୍ମାନ, ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବାକୁ ଦେବ ନାହିଁ ।