ବିଏସପିର ଦାନିଶ ଅଲିଙ୍କ ବିରୋଧରେ ଅସଂସଦୀୟ ଭାଷା ବ୍ୟବହାର: ଦଳୀୟ ସାଂସଦ ରମେଶ ବିଧୁଡିଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍ | News Room Odisha

ବିଏସପିର ଦାନିଶ ଅଲିଙ୍କ ବିରୋଧରେ ଅସଂସଦୀୟ ଭାଷା ବ୍ୟବହାର: ଦଳୀୟ ସାଂସଦ ରମେଶ ବିଧୁଡିଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି (ବିଏସପି)ର ଲୋକସଭା ସଦସ୍ୟ ଦାନିଶ ଅଲିଙ୍କ ପ୍ରତି ଅସଂସଦୀୟ ଭାଷା ବ୍ୟବହାର ନେଇ ବିଜେପି ନିଜ ଦଳୀୟ ସାଂସଦ ରମେଶ ବିଧୁଡିଙ୍କୁ ଶୁକ୍ରବାର କାରଣ ଦର୍ଶାଅ ନୋଟିସ ଜାରି କରିଛି। ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହି ନୋଟିସ୍ ଜାରି କରାଯାଇଛି ଓ ୧୫ ଦିନ ମଧ୍ୟରେ ଏହାର ଜବାବ ଦେବାକୁ ବିଧୁଡିଙ୍କୁ କୁହାଯାଇଛି ।

ଏହାପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ସାଂସଦ ଦାନିଶ ଅଲି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ସଂସଦରେ ତାଙ୍କ ବିରୋଧରେ ହୋଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ବିଧୁଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ମାମଲାକୁ ସ୍ବାଧୀକାର କମିଟି ନିକଟକୁ ପଠାଇବା ପାଇଁ ଅଲି ଲୋକସଭା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିୟମ ୨୨୨, ୨୨୬ ଏବଂ ୨୨୭ ଅନୁଯାୟୀ ସେ ବିଧୁଡିଙ୍କ ବିରୋଧରେ ନୋଟିସ୍ ଦେବାକୁ ଚାହୁଁଛନ୍ତି।

ଅଲି କହିଛନ୍ତି ମୁଁ ଆଶା କରୁଛି ଯେ ମୋତେ ନ୍ୟାୟ ମିଳିବ ଏବଂ ବାଚସ୍ପତି ବିଧୁଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯଦି ଏହା ନହୁଏ ତେବେ ମୁଁ ଭାରି ହୃଦୟ ସହ ଏହି ଗୃହ (ଲୋକସଭା) ଛାଡ଼ିବାକୁ ଚିନ୍ତା କରିବି | ଏପରି କଟୁ ଶବ୍ଦ ଶୁଣିବା ପରେ ମୁଁ ରାତି ସାରା ଶୋଇ ପାରିନଥିଲି।

ଗୁରୁବାର (ସେପ୍ଟେମ୍ବର ୨୧) ସଂସଦରେ ‘ଚନ୍ଦ୍ରଯାନ-୩’ ଏବଂ ମହାକାଶ କ୍ଷେତ୍ରରେ ଭାରତର ସଫଳତା’ ଉପରେ ଆଲୋଚନା ବେଳେ ବିଧୁଡି ବିଏସପି ସାଂସଦ ଅଲିଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ।