ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ପୋଷ୍ଟ: ଜେଲ୍ ଗଲେ ବିଜେପି ନେତା | News Room Odisha

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ପୋଷ୍ଟ: ଜେଲ୍ ଗଲେ ବିଜେପି ନେତା

କାନପୁର: ପ୍ରଫେଟ୍ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ପୋଷ୍ଟ କରି ଗିରଫ ହୋଇଥିବା ଉତ୍ତର ପ୍ରଦେଶ କାନପୁରର ବିଜେପି ଯୁବ ସଂଗଠନର ନେତା ହର୍ଷିତ ଶ୍ରୀବାସ୍ତବ ଜେଲ୍ ଯାଇଛନ୍ତି। ଏହି ମାମଲାରେ କାନପୁର ପୋଲିସ ମଙ୍ଗଳବାର ହର୍ଷିତଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଅଭିଯୁକ୍ତ ହର୍ଷିତ ଶ୍ରୀବାସ୍ତବଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୂଚନାନୁସାରେ, ହର୍ଷିତ ଶ୍ରୀବାସ୍ତବ ହେଉଛନ୍ତି ବିଜେପି ଯୁବା ମୋର୍ଚ୍ଚା କାନପୁର ମହାନଗରର ଜିଲ୍ଲା ମନ୍ତ୍ରୀ । ଏହା ବ୍ୟତୀତ ସେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନଗର ମନ୍ତ୍ରୀ ତଥା କାନପୁର ବିଶ୍ୱବିଦ୍ୟାଳୟର ଡିଏଭି କଲେଜରେ ଏବିଭିପି ସଭାପତି ଦାୟିତ୍ୱରେ ଅଛନ୍ତି । ହର୍ଷିତ ଶ୍ରୀବାସ୍ତବ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କାନପୁର ପୋଲିସ ମଙ୍ଗଳବାର ଏହି ବିଜେପି ନେତାଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଥିଲା ।