ଯୁବକଙ୍କୁ ବିଚ୍ ରାସ୍ତାର ପିଟିଲେ ବିଜେପିର କ୍ୟାବିନେଟ ମନ୍ତ୍ରୀ, ଭିଡ଼ିଓ ଭାଇରାଲ | News Room Odisha

ଯୁବକଙ୍କୁ ବିଚ୍ ରାସ୍ତାର ପିଟିଲେ ବିଜେପିର କ୍ୟାବିନେଟ ମନ୍ତ୍ରୀ, ଭିଡ଼ିଓ ଭାଇରାଲ

ଡେରାଡୁନ: ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ମାରପିଟ୍ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଋଷିକେଶରେ ଅର୍ଥମନ୍ତ୍ରୀଙ୍କ ଘର ନିକଟରେ ଏହି ଘଟଣା ଘଟିଛି । ଭାଇରାଲ ଭିଡିଓରେ ମନ୍ତ୍ରୀଙ୍କ ଠାରୁ ମାଡ଼ ଖାଉଥିବା ଯୁବକଙ୍କ ନାମ ସୁରେନ୍ଦ୍ର ସିଂହ ନେଗି ବୋଲି ଜଣାପଡ଼ିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ତାଙ୍କ ସଶସ୍ତ୍ର ଅଙ୍ଗରକ୍ଷୀଙ୍କ ସହ ଯୁବକଙ୍କୁ ମାଡ଼ ମାରୁଛନ୍ତି। ଯୁବକ ଜଣକ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ମନ୍ତ୍ରୀ ଏବଂ ତାଙ୍କ ଅଙ୍ଗରକ୍ଷୀ ଯୁବକଙ୍କୁ ଟାଣିଆଣି ତାଙ୍କ ଉପରେ ବିଧା, ଚାପୁଡ଼ା ବର୍ଷା କରୁଛନ୍ତି। ରାସ୍ତାରେ ଏହି ଲଢ଼େଇ ଦେଖିବାକୁ କିଛି ଲୋକ ଅଟକି ଯାଇଛନ୍ତି ଏବଂ ଏହି କାରଣରୁ ରାସ୍ତା ମଧ୍ୟ ଜାମ୍ ହୋଇଯାଇଥିବା ଦେଖିବାକୁ ମିଳୁଛି |

ମାଡ଼ ଖାଇଥିବା ଯୁବକ ସୁରେନ୍ଦ୍ର ନେଗି ଏକ ଫେସବୁକ୍ ପୋଷ୍ଟରେ ମନ୍ତ୍ରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ଆମେ ଏକ ଟ୍ରାଫିକ୍ ଜାମରେ ଫସି ଯାଇଥିଲୁ । ତାଙ୍କ ପାଖରେ ଅଟକି ଥିବା ଏକ କାରରେ ମନ୍ତ୍ରୀ ବସିଛନ୍ତି ବୋଲି ମୁଁ ଜାଣିନଥିଲି । ମୁଁ ତାଙ୍କ କାର୍ ସାଇଡ୍ ପଟେ ଆଗକୁ ଯିବାକୁ ଚେଷ୍ଟା କରିବାରୁ ମନ୍ତ୍ରୀ ମୋତେ ଦୁର୍ବ୍ୟବହାର କରିଥିଲେ । ମୁଁ ଏହାର ବିରୋଧ କରିବାରୁ ସେ ଏବଂ ତାଙ୍କ ଲୋକମାନେ କାରରୁ ଓହ୍ଲାଇ ମୋତେ ମାଡ଼ ମାରିଥିଲେ। ”

ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମାଲୋଚନାର ପାତ୍ର ହୋଇଥିବା ମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ସଫେଇ ଦେଇ‌ କହିଛନ୍ତି ଯେ ସୁରେନ୍ଦ୍ର ନେଗି ନାମକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କୁ ଆକ୍ରମଣ କରି ତାଙ୍କ କୁର୍ତ୍ତା ଏବଂ ସୁରକ୍ଷା କର୍ମୀଙ୍କ ୟୁନିଫର୍ମ ଚିରି ଦେଇଥିଲେ। ସେଥିପାଇଁ ତାଙ୍କ ସହ ମାରପିଟ୍ ହୋଇଥିଲା ।

ସେପଟେ ବିରୋଧୀ କଂଗ୍ରେସ ଏହି ଘଟଣା ନେଇ ବିଜେପିକୁ ଟାର୍ଗେଟ କରିଛି । ମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲଙ୍କୁ ବରଖାସ୍ତ କରିବାକୁ ଦାବି କରିଛି ଦଳ ।

କଂଗ୍ରେସ ନେତା ସୂର୍ଯ୍ୟକାନ୍ତ ଧସମାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ସାଧାରଣ ଲୋକଙ୍କ ସହ ବାରମ୍ବାର ଏପରି ଦୁର୍ବ୍ୟବହାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘଟଣାରେ ହସ୍ତକ୍ଷେପ କରି ମନ୍ତ୍ରୀ ପ୍ରେମଚାନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଧାମି ପ୍ରେମଚାନ୍ଦ ଅଗ୍ରୱାଲଙ୍କୁ ସମନ କରିବା ସହ ଘଟଣାର ତଦନ୍ତ ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।