ମାଗଣା ଉପହାର ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ, ଏବେ କର୍ଣ୍ଣାଟକରେ ମାଗଣା ପ୍ରେସର କୁକର୍ ବାଣ୍ଟୁଛନ୍ତି ବିଜେପି ବିଧାୟକ | News Room Odisha

ମାଗଣା ଉପହାର ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ, ଏବେ କର୍ଣ୍ଣାଟକରେ ମାଗଣା ପ୍ରେସର କୁକର୍ ବାଣ୍ଟୁଛନ୍ତି ବିଜେପି ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ରାଜନୈତକ ଦଳମାନେ ଏବେ ବେଶ୍ ସକ୍ରିୟ ହୋଇପଡିଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଦୁଇ ଦଳର ବିଧାୟକମାନେ ଏଠାକାର ଲୋକଙ୍କୁ ପ୍ରେସର କୁକର୍ ବଣ୍ଟନ କରୁଛନ୍ତି।

ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଦଳମାନଙ୍କ ଦ୍ବାରା ମାଗଣା ଯୋଜନା ଘୋଷଣା ଉପରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ମାମଲା ବିଚାରାଧୀନ ରହିଛି । କିନ୍ତୁ ଏହି ସମୟରେ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବାଲି ଏବଂ କଂଗ୍ରେସ ବିଧାୟକ ରାମଲିଙ୍ଗା ରେଡ୍ଡୀ ଶନିବାର ନିଜ ନିଜ ନିର୍ବାଚନମଣ୍ଡଳୀରେ ପ୍ରେସର କୁକର ବଣ୍ଟନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ମାଗଣା ବିଜୁଳି ଭଳି ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିଲେ। ଏଭଳି ମାଗଣା ସଂସ୍କୃତି ଦେଶକୁ ବରବାଦ୍ କରିଦେବ ବୋଲି ସେ କହିଥିଲେ ।

ଚଳିତ ବର୍ଷ ଶେଷ ସୁଦ୍ଧା କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସବୁ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ଗୁଜରାଟ ନିର୍ବାଚନ ସମୟରେ ଅରବିନ୍ଦ କେଜ୍ରିୱାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ମାଗଣା ଉପହାର ଘୋଷଣାକୁ ନେଇ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ଗୁଜରାଟ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମାଗଣା ବିଜୁଳି ସହ ଅନେକ ମାଗଣା ଉପହାର ଘୋଷଣା କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ କଟାକ୍ଷ କରିଥିଲେ। ସେ କହିଥିଲେ ଯେ ଯଦି ରାଜନୀତିରେ ସ୍ୱାର୍ଥ ଅଛି ତେବେ ଆସନ୍ତାକାଲି ମାଗଣା ପେଟ୍ରୋଲ ଏବଂ ଡିଜେଲ ଦେବା ପାଇଁ ଯେକେହି ଆସି ଯୋଜନା ପ୍ରସ୍ତୁତ କରିପାରିବେ। କେଜ୍ରିୱାଲ ମଧ୍ୟ ଏହାର ଜବାବ୍ ଦେଇଥିଲେ । ସେ କହିଥିଲେ ଯେ ଟିକସଦାତାଙ୍କ ସହ ସେତେବେଳେ ବିଶ୍ବାସଘାତକତା ହୋଇଥାଏ ଯେତେବେଳେ କିଛି ନିର୍ଦ୍ଧିଷ୍ଟ ବନ୍ଧୁଙ୍କ ବ୍ୟାଙ୍କ ଋଣ ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ।