ଉତ୍ତର ପ୍ରଦେଶ ବିଜେପିରୁ ଇସ୍ତଫା ଧାରା ଜାରି, ବିଧାୟକ ମୁକେଶ ବର୍ମା ବି ଗଲେ, ଦୁଇ ଦିନରେ ୭ ବିଧାୟକ ଛାଡ଼ିଲେଣି ଦଳ | News Room Odisha

ଉତ୍ତର ପ୍ରଦେଶ ବିଜେପିରୁ ଇସ୍ତଫା ଧାରା ଜାରି, ବିଧାୟକ ମୁକେଶ ବର୍ମା ବି ଗଲେ, ଦୁଇ ଦିନରେ ୭ ବିଧାୟକ ଛାଡ଼ିଲେଣି ଦଳ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ବିଜେପିରୁ ମନ୍ତ୍ରୀ, ବିଧାୟକଙ୍କ ଇସ୍ତଫା ଧାରା ଜାରି ରହିଛି। ଜଣକ ପରେ ଜଣେ ବଡ଼ ଚେହେରା ଦଳ ଛାଡୁଛନ୍ତି । ଦୁଇ ଦିନ ତଳେ ଯୋଗୀ ସରକାରରୁ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ୟୁପି ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ବର୍ତ୍ତମାନ ଏହି ତାଲିକାରେ ଆହୁରି ଅନେକ ବିଧାୟକ ଯୋଡ଼ି ହୋଇଛନ୍ତି। ଏବେ ଆଉ ଜଣେ ପଛୁଆବର୍ଗ ନେତା ତଥା ବିଧାୟକ ମୁକେଶ ବର୍ମା ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି।

ମୁକେଶ ବର୍ମାଙ୍କୁ ମିଶାଇ ଦୁଇ ଦିନ ମଧ୍ୟରେ ବିଜେପିରୁ ସାତ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ବର୍ମା ତାଙ୍କ ଚିଠିରେ ଲେଖିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାମାନଙ୍କୁ ବିଜେପିରେ ଗୁରୁତ୍ବ ଦିଆଯାଉ ନାହିଁ। ସରକାରରେ କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ବେକାର ଅବହେଳିତ ହୋଇଛନ୍ତି। ବର୍ମ ମଧ୍ୟ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ଉତ୍ତରପ୍ରଦେଶର ୪୦୩ଟି ବିଧାନସଭା ଆସନ ପାଇଁ ଏଥର ସାତୋଟି ପର୍ଯ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ ଏବଂ ଏହା ଫେବୃଆରୀ ୧୦ ରୁ ରାଜ୍ୟର ପଶ୍ଚିମ ଭାଗର ୧୧ଟି ଜିଲ୍ଲାର ୫୮ ଟି ସିଟରେ ମତଦାନ ସହ ଆରମ୍ଭ ହେବ। ୟୁପିରେ ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୦ରେ, ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ରେ, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ରେ, ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩ରେ, ଫେବୃଆରୀ ୨୭ରେ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ଓ ମାର୍ଚ୍ଚ ୭ରେ ରେ ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ |